ମାଳଦ୍ବୀପର ଭାଲେନା ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାରମ୍ପରିକ ନୃତ୍ୟ ଗୀତରେ ଭବ୍ୟ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ଉପସ୍ଥିତ ରହି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ । ଆସନ୍ତାକାଲି ମାଳଦ୍ବୀପର ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୋଦି । ନଭେମ୍ବର ୨୦୨୩ରେ ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରେ ମାଳଦ୍ୱୀପକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ରାଷ୍ଟ୍ରୀୟ ଗସ୍ତ । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଭାରତ ଓ ମାଳଦ୍ୱୀପ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୬୦ ବର୍ଷ ହୋଇଥିବାବେଳେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଯାଉଛି ।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୫୪୮ ମିଲିଅନ୍ ଆମେରିକୀୟ ଡଲାରରୁ ଅଧିକ ରହିଛି । ବ୍ୟାପକ ଆର୍ଥିକ ଓ ସୁରକ୍ଷା ସାମୁଦ୍ରିକ ସହଭାଗିତା ସହ ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମ୍ଭାବନା ମଧ୍ୟ ରହିଛି ।












