ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବୁଧବାର ବିଜୁ ଜନତା ଦଳ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଆନ୍ଦୋଳନର ଡାକରା ଦେଇଛି । ଭୁବନେଶ୍ୱରରେ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିବାବେଳେ ବିଜେଡ଼ି ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କିଛି ସମୟ ପାଇଁ ଲୋଏର୍ ପିଏମଜି ଛକ ରଣକ୍ଷେତ୍ର ପାଲଟିଛି । ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ।

ଆଜି ବିଜେଡ଼ି ହଜାର ହଜାର ସଂଖ୍ୟାରେ କର୍ମୀ, ନେତା, ବିଧାୟକ, ମହିଳା କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇଥିଲେ । ଏହା ପରେ ଲୋକସେବା ଭବନ ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା । ସେଠାରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାବେଳେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । କିନ୍ତୁ ବିକ୍ଷୋଭକାରୀ ନ ଅଟକି ଆଗକୁ ବଢ଼ିବାକୁ ଉଦ୍ୟମ କଲାବେଳେ ପୋଲିସ ବାଧ୍ୟ ହୋଇ ପାଣି ମାଡ଼ କରିଥିଲା । ସେଥିରେ କିଛି ଆନ୍ଦୋଳନ କାରୀ ଛତ୍ରଭଙ୍ଗ ଦେଇଥିଲେ । ତଥାପି ଆନ୍ଦୋଳନ ଜାରି ରଖି ଆହୁରି ଆଗକୁ ବଢ଼ିବାକୁ ଉଦ୍ୟମ କରିଥିଲେ, ଯଦ୍ୱାରା ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି । ଏହା ସହିତ ଶତାଧିକ ବିଜେଡ଼ି କର୍ମୀଙ୍କୁ ପୋଲସି ଅଟକ ରଖିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିବାକୁ ପୋଲିସ ନିବେଦନ କରିଛି । ଲୋକସେବା ଭବନ ଏବଂ ବିଧାନସଭାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏହା ସହିତ ଚାରୋଟି ଡ୍ରୋନ ଦ୍ୱାରା ଆନ୍ଦୋଳନ ଉପରେ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here