ପୁରୀ – ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ବଡଦାଣ୍ଡ ଲୋକାରଣ୍ୟ । ଜନସମୁଦ୍ର । ତିନି ଠାକୁରଙ୍କ ପହଣ୍ଡିରେ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ଲକ୍ଷ ଲକ୍ଷ ଭକ୍ତ ସେମାନଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ବଡି ସକାଳୁ ବଡଦାଣ୍ଡରେ ଭିଡ ଜମାଇବା ଆରମ୍ଭ କରିଦେଇଥିଲେ । ଦିନି ଯେତିକି ବଢୁଥିଲା, ସେତିକି ସେତିକି ଜନସମୁଦ୍ର ପୁରୀ ବଡଦାଣ୍ଡକୁ ମାଡି ଆସୁଥିଲା । ରୀତିନୀତି ଅନୁଯାୟୀ ପ୍ରଥମେ ବଡଠାକୁର ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥ ରଥକୁ ପହଣ୍ଡି ବିଜେ କରିଥିଲେ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଭକ୍ତମାନେ ତିନି ରଥକୁ ଗୁଣ୍ଡିଚା ମନ୍ଦିରକୁ ଟାଣିନେବା ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରବଳ ଜନସମୁଦ୍ର ଭିତରେ ରଥାରୁଢ ତିନିରଥ ଟଣାଯିବାରେ ବହୁ ବିଳମ୍ବ ହୋଇଥିଲା । ତାଳଧ୍ବଜ ରଥ ବଳଗଣ୍ଡି ନିକଟରେ, ଦର୍ପଦଳନ ମରିଚୀ ଛକ ନିକଟରେ ପହଞ୍ଚିଥିବା ବେଳେ ନନ୍ଦିଘୋଷ ରଥ ହାତେ ଗଡିବା ପରେ ଅଟକି ଯାଇଥିଲା । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଭକ୍ତଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ରଥଟଣାରେ ବିଳମ୍ବ ହେଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।













