ରାଜ୍ୟରେ ନୋଟିଫାଇଡ୍ ଏରିଆ କାଉନ୍ସିଲ୍ (NAC) ଗଠନ ପାଇଁ ଦାବି ଜୋରଦାର ହୋଇଯାଇଛି । ୧୨ଟି NAC ଗଠନ ପାଇଁ ସରକାର ଡ୍ରାଫ୍ଟ ରିଜୋଲ୍ୟୁସନ ଦେଇଥିବା ସତ୍ତେ, ଏବେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ NAC ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି ।
କୋରାପୁଟର ବୋରିଗୁମ୍ମା, ଯାଜପୁରର ଚଣ୍ଡିଖୋଲ, ଖୋର୍ଦ୍ଧାର ବେଗୁନିଆ, କଳାହାଣ୍ଡିର ଜୟପାଟଣା, କେନ୍ଦ୍ରାପଡ଼ାର ରାଜକନିକା ଓ ରାୟଗଡ଼ାର ପଦ୍ମପୁରରେ ବିଭିନ୍ନ ସଙ୍ଗଠନ, ନାଗରିକ ମଞ୍ଚ ଓ ରାଜନୈତିକ ଦଳ ରାଜପଥରେ ଆନ୍ଦୋଳନ କରୁଛନ୍ତି ।
ପୂର୍ବତନ ବିଜେଡି ସରକାର ୫୭ଟି NAC ଓ ମ୍ୟୁନିସିପାଲିଟି ଘୋଷଣା କରିଥିଲେ, କିନ୍ତୁ ବିଜେପି ସରକାର ଆସିବା ପରେ ସେହି ନିଷ୍ପତ୍ତି ଥମ୍ବି ଯାଇଥିଲା । ଏବେ ସେହି ନିଷ୍ପତ୍ତିକୁ ପୁଣି କାର୍ଯ୍ୟକାରୀ କରିବାକୁ ଦାବି ବଢ଼ିଛି ।
ଚଣ୍ଡିଖୋଲ
ଯାଜପୁର ଚଣ୍ଡିଖୋଲକୁ NAC କରିବା ପାଇଁ ଦାବି ତୀବ୍ର ହୋଇଛି । ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବଡ଼ଚଣାବାସୀଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ସହ, ଦାବି ପୂରଣ ପାଇଁ ସରକାରକୁ ୧୫ ଦିନର ଅବଧି ଦିଆଗଲା ।
ବେଗୁନିଆ
NAC ଦାବିକୁ ନେଇ ବେଗୁନିଆରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ବିଜେଡି ପକ୍ଷରୁ ଡାକାଯାଇଥିବା ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ଛାଡ଼ି, ସମସ୍ତ କାରବାର ବନ୍ଦ ରହିଥିଲା । ପୂର୍ବ ସରକାର ବେଗୁନିଆକୁ NAC ଘୋଷଣା କରିଥିବା ସତ୍ତେ, ଚଳିତ ସରକାର ସେହି ତାଲିକାରୁ ବାହାର କରିଥିବା ଅଭିଯୋଗ ହୋଇଛି । ବିଜେଡିର ଏହି ବନ୍ଦକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି ।
ବୋରିଗୁମ୍ମା
କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ NAC ଦାବିକୁ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ବୋରିଗୁମ୍ମା ନାଗରିକ ମଞ୍ଚ ରାଜପଥରେ ବିକ୍ଷୋଭ କରିଛି । ପୂର୍ବ ସରକାର ବୋରିଗୁମ୍ମାକୁ NAC ଘୋଷଣା କରିଥିବା ସତ୍ତେ, ବର୍ତ୍ତମାନ ସରକାର ସେହି ତାଲିକାରୁ ବାହାର କରିଦେଇଥିବାରୁ ସ୍ଥାନୀୟ ଅସନ୍ତୋଷ ବଢ଼ିଛି । ସରକାର ଦାବି ନଶୁଣିଲେ, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବାର ସତର୍କତା ଦିଆଯାଇଛି ।














