ଭୁବନେଶ୍ୱର – କାହା ସ୍ୱାର୍ଥରେ କାମ କରୁଛନ୍ତି ରାଜ୍ୟ ସରକାର ? ରାଜ୍ୟବାସୀ ଅଧିକ ଦରରେ ବିଦ୍ୟୁତ କିଣୁଛନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ହନ୍ତସନ୍ତ ହେଉଛନ୍ତି I କିନ୍ତୁ ରାଜ୍ୟ ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତିରେ ପୂର୍ଣ୍ଣଛେଦ ପଡୁନି I ରିହାତି ଦରରେ ବିଦ୍ୟୁତ ପାଇବେ ବୋଲି ସରକାର ଅନୁଗୁଳରେ ମେଗା ପାୱାର ପ୍ଲାଣ୍ଟ ପାଇଁ ଜିନ୍ଦଲ ସହ ବୁଝାମଣାପତ୍ର କରିଥିଲେ I ଚୁକ୍ତି ଅନୁଯାୟୀ କମ୍ପାନୀ 50 ପ୍ରତିଶତ ରିହାତିରେ ବିଦ୍ୟୁତ ଯୋଗାଇବା କଥା I ପାୱାର ପ୍ଲାଣ୍ଟକୁ JSPL ଦ୍ୱାରା ଟେକ୍ ଓଭର କରିବା ପରେ ଏହି ପାୱାର୍ ପ୍ଲାଣ୍ଟକୁ ଏକ CPP (Captive Power Plant) ବୋଲି ଘୋଷଣା କରାଯାଇଛି। ଓଡିଶା ସରକାର ଏହି ପ୍ରସଙ୍ଗରେ ମନେଟ୍ ପାୱାର୍କୁ ଦିଆଯାଇଥିବା ସମସ୍ତ ଅନୁମତି jspl କୁ ଦେଇଥିଲେ ମଧ୍ୟ କମ୍ପାନୀ ରିହାତି ଦରରେ ବିଦ୍ୟୁତ ଯୋଗାଉନାହିଁ I ଯାହାଫଳରେ ବର୍ଷକୁ 1010 ନିୟୁତ ୟୁନିଟ ବିଦ୍ୟୁତ ୟୁନିଟ ପିଛା ଏକ ଟଙ୍କା ସତୁରି ପଇସା ବଦଳରେ ତିନିଟଙ୍କା ଛତିଶ ପଇସାରେ କିଣୁଛନ୍ତି I ହଜାର କୋଟିରୁ ଅଧିକ ଟଙ୍କାର ଲାଭ ଘରୋଇ କମ୍ପାନୀକୁ କେଉଁ ସ୍ୱାର୍ଥରେ ଦିଆଯାଇଛି I ଉଚ୍ଚସ୍ତରୀୟ ବୈଠକରେ ଗ୍ରୀଡ଼କୋ ମଧ୍ୟ ଆପତି ନ କରିବା ଘରୋଇ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ପ୍ରମାଣିତ କରୁଛି I