ଭୁବନେଶ୍ୱର – ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବିକି ଦେବାକୁ ଭିତିରି ଯୋଜନା ଚାଲିଛି । ଯଦି ସରକାର ଏବେଠୁ ଏହାକୁ ସଂଶୋଧନ ନ କରନ୍ତି, ତେବେ ଆସନ୍ତା ୨୫ ବର୍ଷ ଯାଏଁ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଶକ୍ତି ପାଇବାକୁ ହାତଛଡା କରିବେ । ପ୍ରତିବର୍ଷ ଯେଉଁ ହଜାର ହଜାର କୋଟି ଟଙ୍କା କ୍ଷତି ହେବ, ସେସବୁ ଅର୍ଥ ଭରଣା ପାଇଁ ବିଦ୍ୟୁତ୍ ଉପଭୋକ୍ତ।ଙ୍କ ଉପରେ ବୋଝ ଲଦି ଦିଆଯିବ । ଏହା ଓଡିଶା ବାସୀଙ୍କୁ ‘ଓଡିଆ ଅସ୍ମିତା’ ର ଉପହାର ନା ଉପହାସ?’

କାହା ସ୍ୱାର୍ଥରେ କାମ କରୁଛନ୍ତି ରାଜ୍ୟ ସରକାର ? ରାଜ୍ୟବାସୀ ଅଧିକ ଦରରେ ବିଦ୍ୟୁତ କିଣୁଛନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି I କିନ୍ତୁ ରାଜ୍ୟ ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତିରେ ପୂର୍ଣ୍ଣଛେଦ ପଡୁନି I ରିହାତି ଦରରେ ବିଦ୍ୟୁତ ପାଇବେ ବୋଲି ସରକାର ଅନୁଗୁଳରେ 1050 ମେଗାଓ୍ୱାଟ ପାୱାର ପ୍ଲାଣ୍ଟ ପାଇଁ ମନେଟ୍ ଗ୍ରୁପ ସହ ବୁଝାମଣାପତ୍ର କରିଥିଲେ I ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଡକୋ 25 ପ୍ରତିଶତ ବିଦ୍ୟୁତ କିଣିବା ପାଇଁ ମନେଟ ଗ୍ରୁପ ସହ ପାଓ୍ୱାର ପର୍ଚେସ ଏଗ୍ରିମେଣ୍ଟ କରିଥିଲା । ତେବେ ଗ୍ରୀଡକୋ କେତେଦରରେ ବିଦ୍ୟୁତ କିଣିବ, ତାହା ଓଇଆରସି ଅଥବା ସିଇଆରସି ଦ୍ବାରା ନିର୍ଦ୍ଧାରିତ ହେବ । ମାତ୍ର ଏନସିଏଲଟି ମାଧ୍ୟମରେ ଜେଏସପିଏଲ ପାରିବାରିକ ସଂପର୍କୀୟ ବେପାର (ଶଳା ଓ ଭିଣେଇ) ଦ୍ବାରା ମନେଟ୍ ପାଓ୍ୱାରକୁ ଅଧିଗ୍ରହଣ କରିଥିଲା । ଜେଏସପିଏଲ ଏହି ପାୱାର୍ ପ୍ଲାଣ୍ଟକୁ କିଣିବା ପରେ ଏହାକୁ Captive Power Plant ଘୋଷଣା କରାଯାଇଛି । ଓଡିଶା ସରକାର ମନେଟ୍ ପାୱାରକୁ ଦେଇଥିବା ସମସ୍ତ ଅନୁମତି ଜେଏସପିଏଲକୁ ପ୍ରଦାନ କଲେ । ମନେଟ ପାଓ୍ୱାରରୁ ବିଦ୍ୟୁତ ପ୍ରକଳ୍ପ ଜେଏସପିଏଲକୁ ଟ୍ରାନ୍ସଫର କରାଯିବା ପ୍ରକ୍ରିୟାରେ ଗ୍ରୀଡକୋର ସ୍ବାର୍ଥ କେତେ ସୁରକ୍ଷିତ ରହିଛି, ତାହା ଏକ ବଡ ପ୍ରଶ୍ନବାଚୀ ।

ଅନୁଗୁଳ ବିଦ୍ୟୁତ ପ୍ରକଳ୍ପକୁ ମନେଟ୍ କଂପାନୀରୁ ଜିନ୍ଦଲକୁ ହସ୍ତାନ୍ତର କରାଯିବା ଏବଂ ପ୍ରକଳ୍ପକୁ ସିପିପି ଘୋଷଣା କରାଯିବା ପ୍ରକ୍ରିୟାରେ ରାଜ୍ୟ ସ୍ବାର୍ଥକୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ ହେଉଛି । ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଯେତେବେଳେ ଚଢାଦରରେ ବିଦ୍ୟୁତ କିଣୁଛନ୍ତି, ସେତେବେଳେ ରାଜ୍ୟର ବିଦ୍ୟୁତ ପ୍ରକଳ୍ପ ସଂପର୍କରେ ଜାଣିବାର ଅଧିକାର ସେମାନଙ୍କର ରହିଛି ।

ପ୍ରଥମ ପ୍ରଶ୍ନ, ହସ୍ତାନ୍ତର ପ୍ରକ୍ରିୟାରେ ଡିସକମ୍ସ ପାଇଁ ବିଦ୍ୟୁତ୍ ସଂଗ୍ରହ ନିମନ୍ତେ ରାଜ୍ୟ ମନୋନୀତ ସଂସ୍ଥା ଗ୍ରୀଡକୋର ସ୍ୱାର୍ଥ ସୁରକ୍ଷିତ ଥିଲା କି ? ଦ୍ବିତୀୟ ପ୍ରଶ୍ନ, ରାଜ୍ୟ ସରକାର ନିଜର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମାଧାନ ପ୍ରକ୍ରିୟା ସମୟରେ ଏନସିଏଲଟି ଅଧୀନରେ ଆଇବିସି ସହିତ ଯୋଗାଯୋଗ କରିଥିଲା ​​କି ? ଯଦି ନୁହେଁ, ତେବେ ଏହା କାହାର ସ୍ୱାର୍ଥରେ ରହିଥିଲା ? ତୃତୀୟ – ⁠କେହି କେବେ ଆକଳନ କରିଛନ୍ତି କି 262.5 ମେଗାଓ୍ୱାଟ ବିଦ୍ୟୁତ୍ ପାଇବାର ସୁଯୋଗ ହରାଇବା ଏବଂ ଫଳସ୍ୱରୂପ ଏହାର ଆର୍ଥିକ କ୍ଷତି କେତେ ହୋଇପାରେ ? ଚତୁର୍ଥ ପ୍ରଶ୍ନ – ⁠ଯେତେବେଳେ ଉଚ୍ଚସ୍ତରୀୟ ବୈଠକରେ ଜେଏସପିଏଲ ମୋନେଟ୍ ପାୱାରକୁ ଏକ କ୍ୟାପ୍ଟିଭ୍ ୟୁନିଟ୍ କରିବା ସପକ୍ଷରେ ସମସ୍ତ ଅନୁମତି ଏବଂ କ୍ଲିୟରାନ୍ସ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ସେତେବେଳେ ଗ୍ରୀଡକୋ ପ୍ରତିନିଧି କ୍ଷତିର ପ୍ରସଙ୍ଗ ଉଠାଇ ସୁରକ୍ଷା ପାଇଁ ମତ ଦାଖଲ କରିଥିଲେ କି ? ଯଦି ନୁହେଁ, ତେବେ ସେମାନେ କାହା ସ୍ୱାର୍ଥରେ ଏହି ପ୍ରସଙ୍ଗ ଉଠାଇ ନଥିଲେ । ପଞ୍ଚମ- ⁠ଥର୍ମାଲ୍ ଆଇପିପି ପ୍ରତିଷ୍ଠା ପାଇଁ ସରକାରଙ୍କ ଦ୍ୱାରା ହୋଇଥିବା ଏମଓୟୁ ମଧ୍ୟରୁ କେତୋଟି ଆଇପିପି ନିଜ ଅନୁସାରେ ସିପିପିକୁ ରୂପାନ୍ତରିତ ହେଉଛନ୍ତି ? ଏପରି କରିବାରେ ସରକାରଙ୍କ ଅନୁମତି କିପରି ଦିଆଯାଉଛି ? ଷଷ୍ଠ ପ୍ରଶ୍ନ, ଆଇପିପି ବିଦ୍ୟୁତ୍ ର ସ୍ଥାୟୀ ଶସ୍ତା ଉତ୍ସକୁ ସୁରକ୍ଷିତ କରିବା ପାଇଁ ଗ୍ରୀଡକୋ କି ଯୋଜନା କରିଛି ?
ସପ୍ତମ- ସାଧାରଣ ଗ୍ରାହକଙ୍କ ଅର୍ଥରେ ସିପିପିକୁ ପ୍ରୋତ୍ସାହନ ଦେବା କ’ଣ ଜନସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ? ଅଷ୍ଟମ – ସିପିପି ଆଧାରିତ ପ୍ଲାଣ୍ଟଗୁଡ଼ିକୁ ପ୍ରୋତ୍ସାହନ ପରେ ସାଧାରଣ ଗ୍ରାହକମାନେ ଅଧିକ ମୂଲ୍ୟରେ ବିଦ୍ୟୁତ୍ କ୍ରୟ କରିବା ଉଚିତ ହେବ କି ? ନବମ ପ୍ରଶ୍ନ – ଏପରି ଆଇପିପି ଉପରେ ନଜର ରଖିବା ପାଇଁ ସରକାରଙ୍କ ପାଖରେ କ’ଣ ଏକ ମନିଟରିଂ ୟୁନିଟ୍ ଅଛି କି, ଯେଉଁମାନେ ଶକ୍ତି ବିଭାଗ ସହିତ ଏମଓୟୁ ସ୍ୱାକ୍ଷର କରିଛନ୍ତି ଏବଂ ପରେ ବିଭିନ୍ନ ଏନସିଏଲଟିକୁ ଯାଉଛନ୍ତି । ଦଶମ ପ୍ରଶ୍ନ – ⁠ପ୍ରଥମେ ଆଇପିପି ଭାବରେ କଳ୍ପନା କରାଯାଇଥିବା ଏକ ବିଦ୍ୟୁତ୍ କେନ୍ଦ୍ରକୁ ନୂତନ ମାଲିକଙ୍କ ଦ୍ୱାରା ସମ୍ପୃକ୍ତ ଏନସିଏଲଟି ଆଦେଶ ଅନୁଯାୟୀ ଏକପାଖିଆ ଭାବରେ ସିଜିପି ଭାବରେ ଘୋଷଣା କରାଯାଇପାରିବ କି, ଯାହା ରାଜ୍ୟ ଗ୍ରାହକଙ୍କ ସ୍ୱାର୍ଥର ମୂଲ୍ୟରେ ଏହାର ନିଜସ୍ୱ ବ୍ୟବସାୟିକ ଦୃଷ୍ଟିକୋଣ/ପ୍ରସ୍ତାବକୁ ସୁଗମ କରିବ ? ପୁରୁଣା ଆଇପିପି ଗୁଡିକର ଗ୍ରୀଡକୋ ସହିତ ପାଓ୍ୱାର ପର୍ଚେସ ଏଗ୍ରିମେଣ୍ଟ ଥିବା ଉଦାହରଣ ଅଛି, ଯାହା ସ୍ଥାପିତ କ୍ଷମତାର 25%, ଇପିକଲ ଦ୍ୱାରା ଆବଣ୍ଟିତ ଜମି, ଜଳ ଆବଣ୍ଟନ, କ୍ଲିୟରାନ୍ସ ଇତ୍ୟାଦି ଯୋଗାଣ କରିବ, ଯାହା ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ନକରି ନୂତନ ମାଲିକଙ୍କୁ ନିରନ୍ତର ଭାବରେ ହସ୍ତାନ୍ତର କରାଯାଉଛି ।

ଏହି ପ୍ରକ୍ରିୟା ରାଜ୍ୟର ସାଧାରଣ ଉପଭୋକ୍ତାଙ୍କ ହିତକୁ ହାନି ପହଞ୍ଚାଇପାରେ ଏବଂ ଗ୍ରୀଡକୋ ଓ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି । ପିପିଏ କାର୍ଯ୍ୟକାରୀ ହେବା ପୂର୍ବରୁ ଏମଓୟୁ ସଂଶୋଧନ କରି ଆଇପିପି ବଦଳରେ ଏକ ସିପିପି ପ୍ରତିଷ୍ଠା କରିବାରେ ଅସୁବିଧା ନାହିଁ । କାରଣ ସିପିପି ପାଇଁ ସରକାର ରିହାତି ଦିଅନ୍ତି, କିନ୍ତୁ ଆଇପିପି ପାଇଁ ନୁହେଁ ?

ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଯୋଗୁ ରାଜ୍ୟକୁ ପ୍ରାୟ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଛି । ଏହା ପଛରେ କି କାରଣ ରହିଛି ଏବଂ କେଉଁମାନଙ୍କ ପକେଟ ଗରମ ହୋଇଛି, ତାହା ତଦନ୍ତ ସାପେକ୍ଷ । ଅପରପକ୍ଷରେ ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ କୁହାଯାଉଥିବା ଓଡିଶାର ବିଦ୍ୟୁତ ଉପଭୋକ୍ତା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଦରରେ ବିଦ୍ୟୁତ କିଣିବା କେତେଦୂର ଯୁକ୍ତିସଙ୍ଗତ ? ଆମେ ଗୋଟିଏ ପଟରେ ଲୋକଙ୍କ ସରକାର କହୁଥିବା ବେଳେ ସରକାର କିନ୍ତୁ ଘରୋଇ କଂପାନୀ ପ୍ରେମରେ ଉବୁଟୁବୁ ହେଉଛନ୍ତି । ଘରୋଇ କଂପାନୀ ସହ ବୁଝାମଣା କଲାବେଳେ ସରକାର ରାଜ୍ୟ ସ୍ବାର୍ଥ ପ୍ରତି ଆଖି ବୁଜି ଦେଇଛନ୍ତି କି ?

LEAVE A REPLY

Please enter your comment!
Please enter your name here