ଯୁଦ୍ଧ ବିମାନ ରାଫେଲକୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ. ରାଫେଲ କିଣାରେ ଲାଞ୍ଚ କାରବାର ତଥା ଅନିୟମିତତାକୁ ନେଇ ସନ୍ଦେହ କରିବାର କିଛି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି . ଏଥିସହିତ ରାଫେଲ ଚୁକ୍ତିରେ କେନ୍ଦ୍ର ସରକାର କରିଥିବା ଅନିୟମିତତା ଅଭିଯୋଗ ଆଧାରିତ ସମସ୍ତ ପିଟିସନକୁ ଖାରଜ କରିଦେଇଛନ୍ତି. ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ରାଫେଲ ପିଟିସନର ଶୁଣାଣୀ କରି କହିଛନ୍ତି, ଯ଼ୁଦ୍ଧ ବିମାନ କିଣିବା ପ୍ରକ୍ରିୟାରେ କୋର୍ଟ ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନି. ଦେଶର ସୁରକ୍ଷା ପାଇଁ ରାଫେଲ ଭଳି ଯୁଦ୍ଧ ବିମାନ କିଣାଯିବାର ଆବଶ୍ୟକ ରହିଛି. ତୁଳନାତ୍ମକ ମୂଲ୍ୟ ହିସାବ କରି ଯୁଦ୍ଧ ବିମାନ କିଣିବା ଦାୟିତ୍ବ କୋର୍ଟଙ୍କର ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି. ସୂଚନାଯୋଗ୍ୟ କେନ୍ଦ୍ର ସରକାର ଫ୍ରାନ୍ସରୁ 59 ହଜାର କୋଟି ଟଙ୍କାରେ 36ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲେ. ଏହି ଯୁଦ୍ଧ ବିମାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳଗୁଡିକ ଅଭିଯୋଗ କରିଥିଲେ. ଅନୀଲ ଅମ୍ବାନୀଙ୍କ କଂପାନୀ ସହ ସରକାର କରିଥିବା ଚୁକ୍ତିକୁ ବାତିଲ କରିବା ପାଇଁ ମଧ୍ୟ କୋର୍ଟରେ ଆବେଦନ କରାଯାଇଥିଲା. ତେବେ କେନ୍ଦ୍ର ସରକାର କରିଥିବା ଚୁକ୍ତିରେ ସେମିତି କୌଣସି ଅନୁକମ୍ପା ଦେଖାଇଥିବାର ପ୍ରମାଣ ନାହିଁ ଏବଂ କେବଳ ସନ୍ଦେହ ଆଧାରରେ କୋର୍ଟ କୌଣସି ତଦନ୍ତ କରିପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ କହିଛନ୍ତି. କଂଗ୍ରେସ ଅଭିଯୋଗ କରିଥିଲା, ପୂର୍ବ ୟୁପିଏ ସରକାର ସମୟରେ 126ଟି ରାଫେଲ କିଣାକୁ ଚୁକ୍ତି ହୋଇଥିଲା. ମାତ୍ର ପରେ ଏନଡିଏ ସରକାର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କଂପାନୀକୁ ଅନୁକମ୍ପା ଦେଖାଇବାକୁ ଚୁକ୍ତି କରିଥିଲେ. ରିଲାଏନ୍ସ ଡିଫେନ୍ସ କଂପାନୀର କୌଣସି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦ କରିବାରୁ ଅଭିଜ୍ଞତା ନାହିଁ ବୋଲି ଏଆଇସିସି ସଭାପତି ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ. ଗତ ନଭେମ୍ବର 14ରେ ରାଫେଲ ମାମଲାର ଶୁଣାଣୀ ବେଳେ ସରକାର ଯୁଦ୍ଧ ବିମାନ କିଣିବା ପାଇଁ ଥିବା ପ୍ରକ୍ରିୟା ସଂପର୍କରେ 14 ପୃଷ୍ଠାର ତଥ୍ୟ ଉପସ୍ଥାପନ କରିଥିଲେ. ରାଫେଲ କ୍ରୟ ମୂଲ୍ୟ ସଂକ୍ରାନ୍ତୀୟ ସୂଚନା ମଧ୍ୟ ସରକାର ମୁଦା ଫାଇଲରେ କୋର୍ଟରେ ଦାଖଲ କରିଥିଲେ. କୋର୍ଟଙ୍କ ଅନୁରୋଧକ୍ରମେ ବାୟୁସେନାର ଦୁଇଜଣ ବରିଷ୍ଠ ଅଧିକାରୀ ମଧ୍ୟ କୋର୍ଟରେ ହାଜର ହୋଇ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ. 1985 ପରଠାରୁ ବାୟୁସେନାରେ ଯୁଦ୍ଧ ବିମାନ ସାମିଲ କରାଯାଇ ନାହିଁ ବୋଲି ଦୁଇ ଅଧିକାରୀ କହିଥିଲେ. ରାଫେଲ ମାମଲାରେ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରଥମେ ମନୋହରଲାଲ ଶର୍ମା ଓ ବିନୀତ ଧଣ୍ଡା ଅଦାଲତରେ ପିଟିସନ ଦାଖଲ କରିଥିଲେ. ପରେ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ ଆଉ ଏକ ପିଟିସନ ଦାଖଲ କରିଥିଲେ. ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋଓ୍ବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମିଳିତ ଭାବେ ଆଉ ବିଚାର ପାଇଁ ଆଉ ଏକ ଆବେଦନ କରିଥିଲେ. ମାତ୍ର ସୁପ୍ରିମକୋର୍ଟଙ୍କ ଏହି ରାୟ ରାଫେଲକୁ ନେଇ ଚାଲିଥିବା ରାଜନୈତିକ ବିବାଦରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଟାଣିଛି.

LEAVE A REPLY

Please enter your comment!
Please enter your name here