ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି ସରକାର. କିନ୍ତୁ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଏମିତି ମାଡ ମାରିଲେ ଯେ, ଛାତ୍ରୀଙ୍କୁ ଡାକ୍ତରଖାନାରରେ ଭର୍ତ୍ତି ହେବାକୁ ପଡିଲା. ଘଟଣାଟି ଘଟିଛି ବାଲିଆପାଳର ଏକ ସରକାରୀ ବିଦ୍ୟାଳୟରେ. ଛାତ୍ରୀ ଜଣକ ଶ୍ରେଣୀ ଗୃହକୁ ବିଳମ୍ବରେ ଆସିବାରୁ ଶିକ୍ଷକ ରମେଶ ଚନ୍ଦ୍ର ଦେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି. ଛାତ୍ରୀଙ୍କ ଭାଇ ଏ ସଂପର୍କରେ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି. ତେବେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି. ମାତ୍ର ଏ ସମସ୍ତ ଅଭିଯୋଗକୁ ଶିକ୍ଷକ ରମେଶ ଚନ୍ଦ୍ର ଦେ ଖଣ୍ଡନ କରିଛନ୍ତି. କ୍ଲାସ ଚାଲିଥିବା ସମୟରେ ଛାତ୍ରୀ ଜଣକ ବାହାରେ ଖେଳୁଥିଲେ ଓ ପରେ ବିଳମ୍ବରେ କ୍ଲାସ ଆସିବାରୁ ତାଙ୍କୁ ଗାଳି କରିଥିବା ଶିକ୍ଷକ କହିଛନ୍ତି. ତେବେ ଏ ସଂକ୍ରାନ୍ତରେ ବାଲିଆପାଳ ବିଇଓ କହିଛନ୍ତି, ମୋ ପାଖକୁ ଏ ଯାଏଁ କିଛି ଖବର ଆସିନି. ଗଣମାଧ୍ୟମରୁ ମୁଁ ଏହା ଶୁଣୁଛି. ସୂଚନା ଆସିଲେ ସରକାରୀ ନିୟମ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ.