ଭାରତ ଫେରିବା ପରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଲକ୍ଷ୍ନୌରେ ଭବ୍ୟ ସ୍ୱାଗତ। ଦିଲ୍ଲୀରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେ ଆଜି ସକାଳେ ଲକ୍ଷ୍ନୌରେ ପହଞ୍ଚିଥିଲେ। ଲକ୍ଷ୍ନୌ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଶୁଭାଂଶୁ ଶୁକ୍ଳାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ତାଙ୍କ ପିତାମାତା ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ। ଲକ୍ଷ୍ନୌର ଶୁଭାଂଶୁ ଶୁକ୍ଲା ୨୫ ଜୁନରେ ଆକ୍ସିଅମ୍ ମିଶନ ୪ ଅନ୍ତର୍ଗତ ମହାକାଶ ଯାତ୍ରାରେ ଯାଇଥିଲେ। ପ୍ରାୟ ୨୦ ଦିନ ପରେ ଶୁଭାଂଶୁ ୧୫ ଜୁଲାଇରେ ପୃଥିବୀକୁ ଫେରି ଆସିଥିଲେ। ୧୭ ଅଗଷ୍ଟରେ ନିଜ ଜନ୍ମଭୂମି ଭାରତରେ ପହଞ୍ଚିଥିଲେ ଏବଂ ଆଜି ଅର୍ଥାତ୍ ୨୫ ଅଗଷ୍ଟ ସୋମବାର ସକାଳ ପ୍ରାୟ ୯ଟା ସମୟରେ ସେ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଦେଶକୁ ଗର୍ବର ମୁହୂର୍ତ୍ତ ଦେଇଥିବା ଶୁଭାଂଶୁଙ୍କ ନିଜ ସହରରେ ଆଗମନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ସାଧାରଣ ଲୋକଙ୍କ ସହିତ, ୟୁପି ସରକାର ମଧ୍ୟ ଶୁଭାଂଶୁଙ୍କ ସଫଳତାକୁ ପାଳନ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ଉତ୍ତର ପ୍ରଦେଶର ପ୍ରଥମ ମହାକାଶ ମିଶନ ସହିତ ଜଡିତ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ନାମରେ ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରାଯିବ। ଏହି ଛାତ୍ରବୃତ୍ତି ସେହି ଛାତ୍ରମାନଙ୍କୁ ଦିଆଯିବ ଯେଉଁମାନେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଚାହାଁନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ‘ତିନି-ଚାରି ବର୍ଷ ପୂର୍ବେ ଉତ୍ତର ପ୍ରଦେଶରେ ମହାକାଶ ପ୍ରଯୁକ୍ତିବିଦ୍ୟା ସହିତ ଜଡିତ କୌଣସି ପାଠ୍ୟକ୍ରମ, ଡିଗ୍ରୀ, ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ ପାଠ୍ୟକ୍ରମ ନଥିଲା। କିନ୍ତୁ ଏବେ ଶୁଭାଂଶୁଙ୍କ ଭଳି ଯୁବକଙ୍କ ପ୍ରେରଣାରେ ଆମେ ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଉଛୁ।’













