ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରାରେ ସୁଟିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡିଛନ୍ତି । ଘଣ୍ଟି ଦ୍ୱାର ନିକଟରେ ବ୍ୟକ୍ତିଜଣଙ୍କୁ ଧରିଲା ଜେଟିପି । ଏହାପରେ ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି । ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ ବୋଲି ଜଣାପଡିଛି। ବୁଧବାର ସକାଳେ ଅରୂପ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଦର୍ଶନ ପାଇଁ ଯିବା ବେଳେ ଚଷମା ସଂଯୁକ୍ତ ହିଡେନ୍ କ୍ୟାମେରା ଶ୍ରୀମନ୍ଦିରକୁ ନେଇ ପ୍ରବେଶ କରିଥିଲେ। ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ନେଇ ସୁରକ୍ଷା କର୍ମୀଙ୍କ ସନ୍ଦେହ କରିଥିଲେ। ତେବେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରର ଭିଜୁଆଲ ନେଉଥିବା ଜଣାପଡିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନାକୁ ସୁରକ୍ଷା କର୍ମୀ ନେଇଯାଇଥିଲେ।
ପୁରୀ ଏସପି କହିଛନ୍ତି, ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇଥିବା ବ୍ୟକ୍ତିକୁ ପୋଲିସ ଅଟକ କରି ପଚରାଉଚରା କରୁଛି। କେଉଁ ଉଦ୍ଦେଶ୍ୟରେ ସେ କ୍ୟାମେରା ସହିତ ପ୍ରବେଶ କଲେ, ତାହା ନେଇ ତଦନ୍ତ ଚାଲିଛି। ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ମୋବାଇଲ ଫୋନ୍ ଏବଂ କ୍ୟାମେରା ସଂଯୁକ୍ତ ଚଷମା ଜବତ ହୋଇଛି। ଏସପି ସ୍ପଷ୍ଟ କରିଛନ୍ତି, ଶ୍ରୀମନ୍ଦିର ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଗତ ତିନି ମାସରେ ମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଇଛି, ଏବଂ ଏପରି କ୍ୟାମେରା ସହ ପ୍ରବେଶର ତିନୋଟି ଘଟଣା ରେକର୍ଡ ହୋଇଛି।
ଜୁଲାଇ ୩୦ରେ ଅଭିଷେକ କର, ଅଗଷ୍ଟ ୪ରେ ଗୁଜରାଟର ବିପୁଲ ପଟେଲ ଓ ଅଗଷ୍ଟ ୮ରେ ପ୍ରୀତିଶ ପାଲ ସ୍ପାଏ କ୍ୟାମେରା ଧରି ଶ୍ରୀମନ୍ଦିରରେ ପଶିଥିଲେ । ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ସୁରକ୍ଷାରେ କାହିଁକି ବାରମ୍ବାର ତ୍ରୁଟି ହେଉଛି ? ଅତ୍ୟାଧୁନିକ କ୍ୟାମେରା ଧରିବାକୁ ଜେଟିପିକୁ ପ୍ରଶିକ୍ଷଣ ଦିଆଯାଉନି କଣ ପାଇଁ?














