ମୋ କ୍ରୀକେଟର ହେବା ସ୍ୱପ୍ନକୁ ପୁରା କରିବା ପାଇଁ ବାପା ଅଧାରୁ କାମ ଛାଡିଦେଇଥିଲେ । ଘର ଚଳିବା ପାଇଁ କଠିନ ପରିସ୍ଥିତି ଦେଇ ଆମେ ଗତିକଲୁ । କିନ୍ତୁ ମୁଁ ମୋ ସ୍ୱପ୍ନକୁ ପୁରା କରିବା ପାଇଁ ଅଣ୍ଟା ଭିଡିଲି । ମୋ ପରିବାର ପାଇଁ ମୁଁ ଆଜି ପରିଚିତ ହୋଇପାରିଛି । ବିଜୟର ସବୁ ଶ୍ରେୟ ନିଜ ବାପା ମା’କୁ ଦେଇଛନ୍ତି ବୈଭବ । ପରିଶ୍ରମ କରୁଥିବା ବ୍ୟକ୍ତି କେବେ ବି ଅସଫଳତା ହାସଲ କରିବନି ।
୧୪ ବର୍ଷୀୟ କ୍ରୀକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ସେ ଭଲ କ୍ରୀକେଟର ହେବା ପଛରେ ଅନେକ ସଂଘର୍ଷ କରିଥିବା କଥା କହିଛନ୍ତି ।
ଆଇପିଏଲ ଆରମ୍ଭ ହେବା ଦିନଠୁ ଅନେକ ଯୁବ ପ୍ରତିଭା ନିଜ ନିଜର ପ୍ରଦର୍ଶନ ବଳରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଠିକ୍ ସେହିପରି ବୈଭବ ଦ୍ରୁତତମ ଶତକ ରେକର୍ଡ ଭଙ୍ଗ କରି ଭାରତୀୟ କ୍ରୀକେଟର ଆଗାମୀ ଭବିଷ୍ୟତ ରୂପେ ଉଭା ହୋଇଛନ୍ତି । ତାଙ୍କ ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ବିଜୟଧାରାକୁ ଫେରିଛି । ସୋମବାର ଅନୁଷ୍ଠିତ ୪୭ ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବୈଭବଙ୍କ ଧୂଆଁଧାର ଶତକ ବଳରେ ଗୁଜରାଟ ଟାଇଟନ୍ସକୁ ୮ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୪ ୱିକେଟ ବିନିମୟରେ ୨୦୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ୧୫.୫ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା ।
ମାତ୍ର ବୈଭବ ୩୮ଟି ବଲରୁ ୧୦୧ ରନ୍ କରି ଆଉଟ୍ ହୋଇଥିଲେ । ଏହି ଇଂନିସରେ ସେ ୭ଟି ଚୌକା ଓ ୧୧ଟି ଛକା ମାରିଥିଲେ । ଶତକ ସହ ୧୪ ବର୍ଷିୟ ବୈଭବ ଅନେକ ରେକର୍ଡ ସ୍ଥାପନ କରିଥିଲେ । କନିଷ୍ଠ ଖେଳାଳୀଭାବେ ଆଇପିଏଲରେ ସେ ଉଭୟ ଅର୍ଦ୍ଧଶତକ ଓ ଶତକ ଅର୍ଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here