ପୁଣିଥରେ ଗୁରୁଙ୍କ ନାଁରେ କଳଙ୍କ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ସଂସ୍କୃତ ଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଉଠିଛି। ୭ ଜଣ ଛାତ୍ରୀ ଶିକ୍ଷକଙ୍କ ଦ୍ବାରା ଅସଦାଚରଣ କରାଯାଇଥିବା କହି ମୁଖ ଖୋଲିଛନ୍ତି। ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଥିବା ଏହି କଳା ଦାଗକୁ ନେଇ ଅଭିଭାବକମାନେ ଗଭୀର ଅସନ୍ତୋଷ ପ୍ରକାଶ କରୁଛନ୍ତି। ସୂଚନା ଅନୁସାରେ, ଗୁରୁଣ୍ଡିଆ ବ୍ଲକର ଏକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ସ୍କୁଲ ପ୍ରଶାସନ ପକ୍ଷରୁ ଉକ୍ତ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା କିନ୍ତୁ କିଛି ବି ସୁଧାର ଆସିନଥିଲା । ଏନେଇ ଗୁରୁଣ୍ଡିଆ ଥାନାରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି କିନ୍ତୁ ସ୍କୁଲ ବନ୍ଦ ଥିବା କାରଣରୁ ତଦନ୍ତ ଠିକ ଭାବରେ ହୋଇପାରୁନି । ସ୍କୁଲ ଖୋଲିଲେ ଏନେଇ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।














