ସବର୍ଣ୍ଣବର୍ଗର ଆର୍ଥିକ ଅନଗ୍ରସରଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ । 2019ରେ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବିଧାନ ସଂଶୋଧନ କରି କେନ୍ଦ୍ର ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି ।
ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ସଂରକ୍ଷଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା, ଏଭଳି ସଂରକ୍ଷଣ ଦ୍ବାରା ସମ୍ବିଧାନର ମୂଳ ଆଦର୍ଶର ଉଲ୍ଲଂଘନ ହେଉଛି । ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ 2019ରେ କେନ୍ଦ୍ର ସରକାର ଲାଗୁ କରିଥିବା 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ଏମାନଙ୍କୁ ସ୍ଥାନୀତ ନ କରାଯିବା ନେଇ ଆପତ୍ତି ଉଠିଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି, ଏହାଦ୍ବାରା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହୋଇନାହିଁ । ଆର୍ଥକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ଯୁକ୍ତିଯୁକ୍ତ ।
ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ଦୁଇଜଣ ବିଚାରପତି 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଥିଲେ ହେଁ ତିନିଜଣ ଏହି ନିଷ୍ପତ୍ତିକୁ ସପକ୍ଷରେ ଥିଲେ ।
ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କରିଥିବା ଜଷ୍ଟିସ ରବୀନ୍ଦ୍ର ଭଟ୍ଟ କହିଛନ୍ତି, ଆର୍ଥିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ସେ ସମର୍ଥନ କରୁଛନ୍ତି, କିନ୍ତୁ ଏହି ବ୍ୟବସ୍ଥାରୁ ସାମାଜିକ ପଛୁଆ ଶ୍ରେଣୀକୁ ବାଦ ଦେବା ବ୍ୟବସ୍ଥାକୁ ସମ୍ବିଧାନ ଅନୁମତି ଦେଇନି ।