‘ସମ୍ବାଦ’ ଖବରକାଗଜ ଅଫିସରେ ଇଓଡବ୍ଲୁ ରେଡ୍ ।
ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଚାଲିଥିବା ଖବରକାଗଜ ସମ୍ବାଦ ଅଫିସରେ ଆଜି ଇଓଡବ୍ଲୁ ରେଡ୍ କରିଛି । ଫାଇବ୍ ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ବ୍ୟୟବହୁଳ ଜିଲ୍ଲାଗସ୍ତ ପ୍ରସଙ୍ଗ, ସରକାରରେ ସଚିବ ବଡ ନା ଲୋକପ୍ରତିନିଧି ବଡ ଭଳି ପ୍ରସଙ୍ଗରେ ସଂପାଦକୀୟ ଲେଖି ସୌମ୍ୟରଂଜନ ପଟ୍ଟନାୟକ ସରକାରଙ୍କୁ କଟାକ୍ଷ କରିବା ପରେ ଦଳର ବିଧାୟକ, ମନ୍ତ୍ରୀମାନେ ଜଣକ ପରେ ଜଣେ ସୌମ୍ୟରଂଜନଙ୍କୁ ନିନ୍ଦା କରି ବୟାନ ଦେଲେ । ଏହାପରେ ତାଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର କରାଗଲା । ଦଳର ଉପସଭାପତି ପଦରୁ ବହିଷ୍କାର କରାଯିବା ପରେ ସୌମ୍ୟରଂଜନଙ୍କ ସମୁଦି ତଥା ଜେଡ୍ ରିଅଲ ଇଷ୍ଟେଟ ମାଲିକ ଶ୍ରୀ ମହାନ୍ତିଙ୍କୁ ଏକ ପୁରୁଣା ମାମଲା ଉପରେ ପୋଲିସ ଜେରା କରିଥିଲା । ଏହି ଘଟଣା ପରେ ସମ୍ବାଦର ଜଣେ ପୂର୍ବତନ ସାମ୍ବାଦିକ କର୍ମଚାରୀଙ୍କ ନାଁରେ ସୌମ୍ୟବାବୁ ବ୍ୟାଙ୍କ ଋଣ ଉଠାଉଥିବା ନେଇ ଥାନାରେ ଏତଲା ଦେଲେ । ଏହି କ୍ରମରେ ଆଜି ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ୍ କରିବା ଆରମ୍ଭ କରିଛି । ଇଓଡବ୍ଲୁ ରେଡ୍ କରି ସରକାର ଗଣମାଧ୍ୟମ ସଂସ୍ଥାର କଣ୍ଠରୋଧ କରିବାକୁ ଉଦ୍ୟମ କରିଛନ୍ତି ବୋଲି ମନ୍ତବ୍ୟ ଦେଇ ଅନେକ ବୁଦ୍ଧିଜୀବୀ ଓ ପୁରୁଖା ସାମ୍ବାଦିକ ଏହାକୁ ନିନ୍ଦା କରିଛନ୍ତି ।
ଇଓଡବ୍ଲୁ ରେଡ୍ ଆଜି କଣ ପାଇଁ ? ସୌମ୍ୟବାବୁ ଆଜି ସରକାରଙ୍କୁ ସମାଲୋଚନା କରିବା ପରେ ରେଡ୍ କାହିଁକି ହେଲା ? ଏହା ପୂର୍ବରୁ ଇଓଡବ୍ଲୁ କେତେଥର ଗଣମାଧ୍ୟମ ସଂସ୍ଥା ରେଡ୍ କରିଛି କି ? ଏହାର ଅର୍ଥ ସୌମ୍ୟବାବୁ ସରକାରଙ୍କୁ ଯେପର୍ଯ୍ୟନ୍ତ ନିନ୍ଦା କରୁ ନ ଥିଲେ, ସେପର୍ଯ୍ୟନ୍ତ ସେ ସୁରକ୍ଷିତ ଥିଲେ । ଆଜି ଯେତେବେଳେ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କଲେ ସରକାର ରେଡ୍ କରିବା ଆରମ୍ଭ କଲେ । ଅବଶ୍ୟ ଏହା ପୂର୍ବରୁ ସରକାର ଓଟିଭି, ବଡଖବର ଉପରେ ବଳପ୍ରୟୋଗ କରିସାରିଛନ୍ତି ।
ଇଓଡବ୍ଲୁ ରେଡ୍ ଘଟଣାକୁ ସମ୍ବାଦ କର୍ତ୍ତୃପକ୍ଷ ସରକାରଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ।
ସରକାର ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ରାଗ ଶୁଝାଇବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲୁ ଲଗାଇ ଗଣମାଧ୍ୟମ ସଂସ୍ଥାର କଣ୍ଠରୋଧ କରିବାକୁ ଉଦ୍ୟମ କରିବା ଘଟଣାକୁ ବିଭିନ୍ନ ଅନୁଷ୍ଠାନ ଓ ସାମ୍ବାଦିକ ସଂଘ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here