ସରକାରୀ ଚାକିରୀ ଚୟନ ପ୍ରକ୍ରିୟାରେ ବାରମ୍ବାର ତ୍ରୁଟି ଅଭିଯୋଗ । ପ୍ରଶ୍ନପତ୍ର ପ୍ରଘଟ ଠୁ ଆରମ୍ଭ କରି ଲାଞ୍ଚ କାରବାର । ଉପରୁ ସୁପାରିଶ । ଏମିତି ଚୟନ ପ୍ରକ୍ରିୟାକୁ ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିଲେ ବେକାର ଯୁବକ । ସେଥିପାଇଁ ଅନିୟମିତତା ରୋକିବାକୁ ମୋହନ ମାଝୀଙ୍କ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଚାକିରୀ ଚୟନ ପ୍ରକ୍ରିୟାରେ ତ୍ରୁଟି ତଥା ଲାଞ୍ଚ କାରବାର ରୋକିବାକୁ ଆଜି କ୍ୟାବିନେଟ ଓଡିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନ ନିବାରଣ) ଆଇନ 2024କୁ ମଂଜୁରୀ ଦେଇଛି । ବିଧାନସଭାର ଆସନ୍ତା ଅଧିବେସନରେ ଏହାକୁ ପାରିତ କରିବାକୁ ସ୍ଥିର କରାଯାଇଛି । ଏହି ଆଇନ ବଳରେ ସରକାରୀ ଚାକିରୀ ଚୟନ ପ୍ରକ୍ରିୟାରେ ଅନିୟମିତତା ସହ ସଂପୃକ୍ତ ବ୍ୟକ୍ତି ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହେଲେ ତିନିବର୍ଷରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ନିୟମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଏହି ନୂଆ ନିଷ୍ପତ୍ତିକୁ ମଂଜୁରୀ ଦେଇଛି । ନିଯୁକ୍ତି ପ୍ରକ୍ରିୟା ପରିଚାଳନା ପାଇଁ ଓଡିଶା ଲୋକସେବା ଆୟୋଗ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓଡିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ସଂସ୍ଥାରେ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ରକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here