ଜାନୁଆରୀ 26ରେ ଦିଲ୍ଲୀରେ ଚାଷୀମାନେ ଘଟାଇଥିବା ହିଂସାକାଣ୍ଡକୁ ନେଇ ଏବେ ଛାନଭିନ୍ ଚାଲିଛି । ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମୀକ୍ଷା କରିବା ଦିଲ୍ଲୀରେ ଅତିରିକ୍ତ ଅର୍ଦ୍ଧସାମରିକ ସେନା ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପଞ୍ଜାବ ଓ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି । ହିଂସାକାଣ୍ଡ ପରେ ଚାଷୀ ସଂଗଠନର ନେତାମାନେ ସେମାନଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉଦ୍ଦିଷ୍ଟ, ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ପୂର୍ବସ୍ଥାନ ଦିଲ୍ଲୀ ହରିୟାଣା ସୀମାକୁ ଫେରି ଆସିବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ନେଇ ହିଂସାକାଣ୍ଡ ସୃଷ୍ଟି କରିଥିବା ଚାଷୀଙ୍କ ବିରୋଧରେ 22ଟି ଏତଲା ଦାଖଲ କରିସାରିଲାଣି । ଏହି ହିଂସାକାଣ୍ଡରେ 300ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ସ୍ବରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ପୂର୍ବରୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା 40 ଜଣ ନେତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଦାୟର କରିଛି । ଦିଲ୍ଲୀର କିଛି ଅଞ୍ଚଳ, ଆନ୍ଦୋଳନସ୍ଥଳ ଏବଂ ପଞ୍ଜାବ ଓ ହରିୟାଣାରେ କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।
ଚାଷୀ ସଂଗଠନର ଗୋଟିଏ ଗୋଷ୍ଠୀ ଏଭଳି ହିଂସାକାଣ୍ଡ ପାଇଁ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି । ଦୀପ ସିଦ୍ଧୁ ଚାଷୀମାନଙ୍କୁ ଲାଲକିଲ୍ଲା ଆଡକୁ ଯିବା ପାଇଁ ଉତ୍ତେଜିତ କରାଇବା ସହ ଲାଲକିଲାରେ ଶିଖ ଧାର୍ମିକ ପତାକା ଉଡାଇବାକୁ ସକ୍ଷମ ହୋଇଥିଲେ । ଦୀପ ସିଦ୍ଧୁ ସରକାରୀ ଲୋକ ଏବଂ ଚାଷୀ ସଂଗଠନ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି । ଲାଲକିଲ୍ଲାରେ ଧର୍ମୀୟ ପତାକା ଉଡାଇଥିବା ଲୋକ ସର୍ଦ୍ଦାର ନୁହେଁ, ଗଦ୍ଦାର ବୋଲି ସଂଯୁକ୍ତ ମୋର୍ଚ୍ଚା କହିଛି ।