ଓଡିଶାରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍ ପହିଲାରେ ହେବ । ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ମତଦାନ 70ରୁ 78 ପ୍ରତିଶତ ମଧ୍ୟରେ ରହିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ଅତ୍ୟନ୍ତ ଶୋଚନୀୟ । ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଭୋଟ ହାର ଅନ୍ୟ ସବୁ ନିର୍ବାଚନମଣ୍ଡଳୀ ତୁଳନାରେ ସବୁଠୁ କମ୍ ରହିଛି । ଏକାମ୍ର ଓ ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ହାର 60 ରୁ 65 ପ୍ରତିଶତ ମଧ୍ୟରେ ରହିଥିବା ବେଳେ ମଧ୍ୟ ଭୁବନେଶ୍ବରରେ ଭୋଟହାର ମାତ୍ର 51 ପ୍ରତିଶତ ରହିଛି । ଅର୍ଥାତ ରାଜଧାନୀର ଉଚ୍ଚଶିକ୍ଷିତ ଭୋଟରମାନେ ଲମ୍ବାଲାଇନରେ ଛିଡା ହୋଇ ଭୋଟଦେବାକୁ ପସନ୍ଦ କରିନାହାନ୍ତି ଅଥବା ଭୋଟଦେବା କାର୍ଯ୍ୟକୁ ଅର୍ଥହୀନ କାର୍ଯ୍ୟ ଭାବେ ବିବେଚନା କରୁଛନ୍ତି । ମଧ୍ୟ ଭୁବନେଶ୍ବର ରାଜଧାନୀର ପ୍ରାଣକେନ୍ଦ୍ର ଏବଂ ଅଧିକାଂଶ ସରକାରୀ ଚାକିରିଆ ଏହି ଅଞ୍ଚଳରେ ରୁହନ୍ତି । ସେମାନେ ଭୋଟ ପାଇଁ ସରକାରୀ ଛୁଟି ବି ହାସଲ କରନ୍ତି । ମାତ୍ର ଭୋଟଦେବାକୁ ଇଚ୍ଛା ପ୍ରକାଶ କରନ୍ତିନାହିଁ । ସେହିପରି ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ରହୁଥିବା ଭିଆଇପି, ଭିଭିଆଇପି, ଧନୀକ ବର୍ଗ ଏବଂ ତଥାକଥିତ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ଭୋଟ୍ ଦେବା ଗୋଟେ ଫାଲତୁ କାମ ବୋଲି ବିବେଚନା କରାଯାଏ । ଖରାରେ ସମସ୍ତଙ୍କ ସାଙ୍ଗରେ ମିଶି ଧାଡିରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ସମୟ ଅପଚୟ ବୋଲି ସେମାନେ ଭାବନ୍ତି । ଯେଉଁଥିପାଇଁ ରାଜଧାନୀରେ ଭୋଟହାର ସବୁଠୁ କମ୍ । ଚଳିତ ନିର୍ବାଚନ ତୁଳନାରେ ଆପଣ ଯଦି ବିଗତ ନିର୍ବାଚନର ଭୋଟହାର ଦେଖିବେ, ତେବେ ରାଜଧାନୀ ବାସିନ୍ଦା କେତେ ରାଜନୀତିକ ସଚେତନ, ତାହା ଜାଣିଯିବେ । 2009 ନିର୍ବାଚନରେ ଭୋଟ ହାର ମାତ୍ର 33 ପ୍ରତିଶତ ରହିଥିଲା, 2014ରେ 41 ପ୍ରତିଶତ ଏବଂ 2019ରେ ଏହା 43 ପ୍ରତିଶତକୁ ବୃଦ୍ଧି ପାଇଥିଲା । ମୋ ମତରେ କେଉଁ ନାଗରିକ ଭୋଟ ଦାନରୁ ବିରତ ରହିଛନ୍ତି ଏବଂ କଣ ପାଇଁ ମତଦାନ ଦେଇନାହାଁନ୍ତି, ସେମାନଙ୍କୁ କାରଣ ଦର୍ଶାଇବାକୁ ବାଧ୍ୟ କରାଯିବା ଦରକାର । ଯେୁଁ ସରାକରୀ କର୍ମଚାରୀମାନେ ଭୋଟଦାନରୁ ବିନା କାରଣରେ ବିରତ ରହିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ତାହେଲେ ଦେଶର ଅଳସୁଆ ନାଗରିକଙ୍କୁ ଉଠାଇବା ସମ୍ଭବ ହେବ । (ଅପୂର୍ବ କୁମାର ମହାନ୍ତି)

LEAVE A REPLY

Please enter your comment!
Please enter your name here