ଆମକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ । ଓଡିଶା ଟଙ୍କାରେ କେମିତି ଓଡିଶା ଲୋକଙ୍କ ଉନ୍ନତି ହେବ, ସେଥିପାଇଁ ଆମକୁ ଆର୍ଥିକ ସ୍ୱତନ୍ତ୍ରତା ଦିଅ । ଓଡିଶାର ହକ୍ ପାଇଁ ଆମ ଆନ୍ଦୋଳନ ଜାରି ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାବେଶରେ କେନ୍ଦ୍ରୀୟ ନେତାଙ୍କୁ ଏମିତି କଡା କଥା ଶୁଣେଇଛନ୍ତି । ରାଜ୍ୟର ବିକାଶ ପାଇଁ ଗୋଟିଏ ସମୟରେ ବିଜୁ ପଟ୍ଟନାୟକ ଆର୍ଥିକ ସ୍ୱତନ୍ତ୍ରତା ଦାବି କରିଥିଲେ । ଆଜି ନବୀନ ଆର୍ଥିକ ସ୍ୱତନ୍ତ୍ରତା କଥା କହି କେନ୍ଦ୍ରୀୟ ଅବହେଳା ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାବେଶରେ ନବୀନଙ୍କ ସ୍ୱର ଖୁବ୍ ଶାଣିତ ଥିଲା । ବିଜେଡିର ପ୍ରତିଷ୍ଠା ଦିବସକୁ କଂଗ୍ରେସ କଳାଦିବସ ଭାବେ ପାଳନ କରୁଥିବା ବେଳେ ବିଜେପି ଜବାବ ମାଗୁଛି ଓଡିଶା ନାଁରେ ପ୍ରତିବାଦ କରୁଛି । ମାତ୍ର ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ନବୀନ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାୟଲ କରିଛନ୍ତି । କେନ୍ଦ୍ରକୁ ୯ଟି ପ୍ରଶ୍ନ ପଚାରି ‘ଜବାବ ମାଗୁଛି ଓଡିଶା’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଲୋକେ ରାସ୍ତାରେ ଗଲାବେଳେ କେବଳ ଭଗବାନଙ୍କ ଭରସାରେ ଯାଉଛନ୍ତି। ଉପକୂଳ ରାଜପଥ ଅବସ୍ଥା କଣ ହେବ ତାହା ଜଣା ନାହିଁ । ଖୋର୍ଦ୍ଧ।- ବଲାଙ୍ଗୀର ରେଳପଥ ଇତିହାସରେ ରହିଲା ଭଳି ଲାଗୁଛି । ସରକାର ମାଗଣାରେ ଜମି ଯୋଗାଇ ଦେଇଥିଲେ ମଧ୍ୟ ଏହା ଆଗକୁ ବଢ଼ୁ ନାହିଁ । ବିଏସଏନଏଲ ସେବା ପାଇଁ ଗଛ, କୋଠାରେ ଚଢିବାକୁ ପଡୁଛି । ମୋବାଇଲ ଧରିବାକୁ ହେଲେ ଗଛଚଢା ଶିଖିବାକୁ ପଡିବ । ବିମୁଦ୍ରାକରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି । ବିମୁଦ୍ରାକରଣ ପାଇଁ ଲୋକେ ହଇରାଣ ହେଲେ, ବ୍ୟାଙ୍କ ସୁବିଧା ମିଳୁନି । ଚାଷୀଙ୍କୁ ଫସଲବୀମା ମିଳୁନି, ଘରୋଇ ବୀମା କମ୍ପାନୀ ମାଲାମାଲ । ଏସି ଏସଟି ପିଲାଙ୍କ ଷ୍ଟାଇପେଣ୍ଡ ୨ ବର୍ଷ ହେଲା କେନ୍ଦ୍ର ଦେଉନାହିଁ । ଉଜ୍ଜଳା ବହୁତ ପ୍ରଚାର, ଦର ବୃଦ୍ଧି ପାଇଁ ରିଫିଲିଂ କରାଯାଇପାରୁନି । ବର୍ଷକୁ ଏମସିଏଲ ପାଉଛି ୨୦ ହଜାର କୋଟି, ଓଡିଶା ପାଉଛି ପ୍ରଦୂଷଣ । ବାର୍ଷିକ ରେଲୱେ ନେଉଛି ୨୦ ହଜାର କୋଟି, ଦେଉଛି ୨ ହଜାର କୋଟି । ଏସବୁର ଜବାବ ମାଗୁଛି ଓଡିଶା ଏବଂ କେନ୍ଦ୍ର ସରକାର ଜବାବ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆମକୁ ସ୍ୱତନ୍ତ୍ର ରାଜପାହ୍ୟା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ ବୋଲି କହିଛନ୍ତି । ଓଡିଶା ଟଙ୍କାରେ କେମିତି ଓଡିଶା ଲୋକଙ୍କ ଉନ୍ନତି ହେବ, ତାହା ରାଜ୍ୟ ସରକାର ଦେଖିବୋ ସେଥିପାଇଁ ଆମକୁ ଆର୍ଥିକ ସ୍ୱତନ୍ତ୍ରତା ଦିଅ । ଓଡିଶାର ହକ୍ ପାଇଁ ଆମ ଆନେ୍ଦାଳନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିକୁ ଦଳୀୟ ବିଧାୟକ, ସାଂସଦମାନେ ଗୋଟିଏ ମାସର ଦରମା ପ୍ରଦାନ ପାଇଁ ଆହ୍ଵାନ ଦେଇଥିଲେ। ତେଣୁ ବିଜେଡ଼ିର ଏହି ୨୧ତମ ଜନ୍ମ ଦିବସ ଅବସରରେ ବିଧାୟକ, ସାଂସଦମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନଙ୍କ ଗୋଟିଏ ମାସର ଦରମା ଚେକ୍ ଆକାରରେ ଦଳୀୟ ପାଣ୍ଠିକୁ ଦାନ କରିଥିଲେ ।