କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସବୁଜ ସଙ୍କେତ ଦେଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହାର ବିଚାର କରି ଏହି ଐତିହାସିକ ରାୟ ଦେଇଛନ୍ତି । ଏହାଦ୍ୱାରା ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ ହେଉଥିବା ଖଣ୍ଡପୀଠ ସୂଚିତ କରିଛନ୍ତି । ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ବୟସ୍କ ମହିଳାଙ୍କ ପାଇଁ ମନ୍ଦିରରେ ପ୍ରବେଶକୁ ବାରଣ କରାଯାଉଥିଲା ।ଏହି ପରମ୍ପରା ଏଠାରେ ଅତି ପ୍ରାଚିନ କାଳରୁ ପ୍ରଚଳିତ ତେବେ ଉଚ୍ଚ ଅଦାଲତଙ୍କ ଏହି ରାୟ ଦ୍ୱାରା ଏଣିକି ସବୁବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିପାରିବେ । ମନ୍ଦିରରେ ପ୍ରବେଶ ପାଇଁ ୪୧ ଦିନର କଠୋର ବ୍ରତ କରିବାକୁ ପଡିଥାଏ । ମାତ୍ର ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ଯୋଗୁ ଏଭଳି ବ୍ରତ ସମ୍ଭବ ହୋଇନଥାଏ । ତେଣୁ ଏହି ବର୍ଗର ମହିଳାଙ୍କୁ ମନ୍ଦିରରେ ପ୍ରବେଶ ବାରଣ କରାଯାଏ ।
ନିଷ୍ପତ୍ତି ଶୁଣାଇବା ସମୟରେ ଦୀପକ ମିଶ୍ର କହିଛନ୍ତି କି, ଭଗବାନଙ୍କ ସହ ସମ୍ବନ୍ଧକୁ ଜୈବିକ କିମ୍ବା ଶାରୀରିକ ଦୃଷ୍ଟିରୁ ମାପ କରାଯିବା ଅନୁଚିତ । ଧର୍ମ କିମ୍ବା ପୂଜାର୍ଚ୍ଚନାକୁ ନେଇ ଭେଦଭାବ କରିବା ଅନୁଚିତ । ଏହା ସମସ୍ତଙ୍କର ମୌଳିକ ଅଧିକାର । ପୂର୍ବରୁ ଥିବା କଟକଣା ମହିଳାଙ୍କ ଅଧୀକାରକୁ କ୍ଷୁର୍ଣ୍ଣ କରୁଥିଲା ।