ଭି.କେ. ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଆଉ ଛ ମାସ ଛୁଟି ଅବଧି ବଢାଇବା ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ମନୋଜ ମହାନ୍ତି ଆଜି ଶ୍ରୀମତୀ କାର୍ତ୍ତିକେୟନଙ୍କୁ ଛୁଟି ଆବେଦନ ଖାରଜ ହୋଇଥିବା ସଂପର୍କରେ ଅବଗତ କରାଇବା ସହ ଆସନ୍ତାକାଲି ନଭେମ୍ବର 27 ତାରିଖ ଦିନ ଚାକିରୀରେ ଯୋଗ ଦେବାକୁ ଚିଠି ଲେଖିଛନ୍ତି । ଏକଦା ନବୀନ ପଟ୍ଟନାୟକଙ୍କ ସରକାରରେ ସବୁଠୁ ପ୍ରଭାବଶାଳୀ ଥିଲେ ଆଇଏଏସ ଦମ୍ପତ୍ତି ପାଣ୍ଡିୟାନ ଓ ତାଙ୍କ ପତ୍ନୀ ସୁଜାତା । ମାତ୍ର ଗତ ନିର୍ବାଚନରେ ବିଜେଡି ସରକାରର ପତନ ଫଳାଫଳ ଘୋଷଣା ପୂର୍ବରୁ ସେ ଛ ମାସ ଛୁଟିରେ ପଳାଇଥିଲେ । ଝିଅର ଦଶମ ପରୀକ୍ଷା ପାଇଁ ସେ ଛୁଟି ଆବେଦନ କରିଥିଲେ ଏବଂ ସେତେବେଳେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନା ଛୁଟି ମଂଜୁର କରିଥିଲେ । ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ତାଙ୍କର ଛୁଟି ଅବଧି ଥିଲା । ଏବେ ଆଉ ଛ ମାସ ଛୁଟି ବଢାଇବା ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ରାଜ୍ୟ ସରକାର ତାଙ୍କ ଛୁଟି ଆବେଦନ ଖାରଜ କରିଦେବା ସହ ତୁରନ୍ତ ଚାକିରୀରେ ଯୋଗଦେବାକୁ କହିଛନ୍ତି ।