ନୂଆ ରୂପରେ ଶ୍ରୀମନ୍ଦିର । ଶ୍ରୀକ୍ଷେତ୍ରକୁ ସଜେଇବା ପାଇଁ ଚାଲିଛି ଭବ୍ୟ ଆଯୋଜନ । ପାରଂପରିକ ଚିତ୍ରରେ ସଜେଇ ହେଲାଣି ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଝଟକିଲାଣି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଉ ଦୁଇଦିନ ବାକିଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 17 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଶ୍ରୀମନ୍ଦିରକୁ ନୂଆ ରୂପରେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ସନ୍ଦର୍ଶନ କରିବା ପାଇଁ ସାଧୁ ସନ୍ଥ ଓ ଭକ୍ତମାନେ ବି ଆତୁର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଲୋକାର୍ପଣ ପର୍ବରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 850 ଜଣ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ବିଦେଶରୁ ମଧ୍ୟ କିଛି ଅତିଥିଙ୍କୁ ଏହି ପର୍ବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରକୁ ନିମନ୍ତ୍ରଣ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତି ଗାଁ, ପଞ୍ଚାୟତ, ବ୍ଲକରେ ଲୋକାର୍ପଣ ରଥ ପରିକ୍ରମା କରିବା ସହ ଘରକୁ ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି । 15 ତାରିଖରୁ ଶ୍ରୀମନ୍ଦିର ଐଶାନ କୋଣରେ ମହାଯଜ୍ଞ ଆରମ୍ଭ କରାଯିବ । ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କର୍ତ୍ତା ଭାବେ ଯଜ୍ଞରେ ବସିବେ । 17 ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ନିମନ୍ତ୍ରିତ ଅତିଥିମାନେ ପରିକ୍ରମା ପ୍ରକଳ୍ପ ଦେଇ ଶ୍ରୀମନ୍ଦିର ପ୍ରଦକ୍ଷିଣ କରିପାରିବେ । ନିମନ୍ତ୍ରିତ ଅତିଥିମାନଙ୍କ ସହ ଦେଶ ବିଦେଶରୁ ବହୁ ଭକ୍ତ ମଧ୍ୟ ପୁରୀ ଆସିବେ । ତେଣୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ସହରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡି ରଖି ଭକ୍ତମାନେ ଶ୍ରୀମନ୍ଦିର ଆସିପାରିବେ ।
ଏହି ଲୋକାର୍ପଣ ପର୍ବ ପାଇଁ କେବଳ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନୁହେଁ, ପୁରା ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି । ରାତିରେ ଆଲୋକମାଳାରେ ପୁରୀ ସହର ଅପରୀପ ସୌନ୍ଦର୍ଯ୍ୟରେ ଝଲସୁଛି । ପୁରୀ ସହରର ବିଭିନ୍ନ ପ୍ରାଚୀରରେ ଶୋଭା ପାଉଛି ଐତିହ୍ୟ, ସଂସ୍କୃତିର ଚିତ୍ରକଳା । ସେହିପରି ଶ୍ରୀମନ୍ଦିରର ଅଲୌକିକ କିମ୍ବଦନ୍ତୀକୁ ଚିତ୍ରରୂପ ଦିଆଯାଇଛି । ଶ୍ରୀମନ୍ଦିର ସହ ଜଡିତ ଇନ୍ଦ୍ରଦ୍ୟୁମ୍ନ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here