ଏପ୍ରିଲ 28ରେ ବାହାଘର । ମେ 29ରେ ନବବଧୂ ମୃତ ।
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଗତ ୨୯ ତାରିଖରେ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ କହୁଛନ୍ତି । ମାତ୍ର ଯୌତୁକ ପାଇଁ ନବବଧୂଙ୍କୁ ଶାଶୂଘର ଲୋକେ ମାରିଦେଇଥିବା ଅଭିଯୋଗ କରିଛନ୍ତି ଝିଅର ବାପଘର । ଭଦ୍ରକ ତିହିଡି ଅଞ୍ଚଳର ୨୭ ବର୍ଷୀୟ ପ୍ରଭାବତି ନାୟକ ଗତ ଏପ୍ରିଲ ୨୮ ତାରିଖରେ ଭୁବନେଶ୍ୱର ସରକନ୍ତରାର ପ୍ରକାଶ ଖୁଣ୍ଟିଆକୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବେଳେ ଦାବି ମୁତାବକ ଯୌତୁକ ବି ଦିଆଯାଇଥିଲା । କିଛି ଦିନ ସବୁ ଠିକ ଠାକ ଚାଲିଥିଲା । ଗତ ରବିବାର ସ୍ୱାମୀ ମାଡ଼ ମାରିଥିବା କଥା ମା’ଙ୍କୁ ଜଣାଇଥିଲେ ପ୍ରଭାବତୀ । ପରେ ଫୋନ କରିବାରୁ ଝିଅ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକେ କହିଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛି । ମୃତ ପ୍ରଭାବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ, ଯୌତୁକରେ ବ୍ରେସଲେଟ ଆଣିବାକୁ କୁହାଯାଇଥିଲା, ହେଲେ ଆମେ ଜ୍ୱାଇଁକୁ ଦେଇନଥିଲୁ । ଯାହାକୁ ନେଇ ଝିଅର ଶାଶୁଘର ଲୋକ ଝିଅକୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ପରିବାର ଉପରେ ଚାପ ପକାଉଥିଲେ । ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ପ୍ରଭାବତୀ । ସୋମବାର ଝୁଲନ୍ତା ଅବସ୍ଥାରେ ନବବଧୂ ପ୍ରଭାତି ନାୟକଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏମ୍ସ ନେଇଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଏମ୍ସରେ ପୋଷ୍ଟମର୍ଟମ କରିବା ପରେ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ପ୍ରଭାବତୀଙ୍କ ସ୍ୱାମୀ, ଶାଶୁ, ଶ୍ବଶୁର, ଦେଢଶୁର ଓ ଜା’ଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରିବ ବୋଲି ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।