ମାସର 14 ତାରିଖ ଦ୍ବିତୀୟ ଶନିବାର, 15 ତାରିଖ ରବିବାର, 16 ତାରିଖ ମହରମ୍ ପାଇଁ ସ୍କୁଲ, କଲେଜ ଛୁଟି ରହିଥିବା ବେଳେ ରାଜ୍ୟ ସରକାର 17 ତାରିଖ ମଙ୍ଗଳବାର ଦିନ ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି । 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଥିବାରୁ ଏବଂ ଭୁବନେଶ୍ବର ଜନତା ମଇଦାନରେ ବିଶାଳ ସମାବେଶରେ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବାକୁ ଥିବାରୁ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି । ସକାଳୁ ଦିନ ଦୁଇଟା ପର୍ଯ୍ୟନ୍ତ ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଅଫିସ ଓ କୋର୍ଟ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ଦିନ 11ଟା 35 ମିନିଟରେ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ତିନିଘଣ୍ଟା ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ରହିବେ । ମୋଦୀଙ୍କ ଗସ୍ତ ସମୟରେ ଭୁବନେଶ୍ବରରେ ବହୁ ଲୋକଙ୍କ ସମାଗମ ହେଉଥିବାରୁ ସ୍କୁଲ, କଲେଜ ଛୁଟି କରିବାକୁ ନିଷ୍ପତ୍ତି ନିଆଯାଇଛି ।