ସୁଭଦ୍ରା ଯୋଜନାର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେବା ପରେ ଏହି ଯୋଜନାରେ କେଉଁବର୍ଗର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ ତାହା ସ୍ପଷ୍ଟ ହୋଇଛି । ନିର୍ବାଚନ ବେଳେ ରାଜ୍ୟ ବିଜେପି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲା । ତେବେ ସୁଭଦ୍ରା ଯୋଜନାରେ କେଉଁ ବର୍ଗର ମହିଳାଙ୍କୁ ସରକାର ଆର୍ଥିକ ସହାୟତା ଦେବେ ଏବଂ କାହାକୁ ବାଦ୍ ଦେବେ, ତାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ରାଜ୍ୟ କ୍ୟାବିନେଟ ଆଜି ସୁଭଦ୍ରା ଯୋଜନାରେ ମୋହର ମାରିଛି । ଏହି ଯୋଜନାରେ ଗରିବ ତଥା ଆର୍ଥିକ ଅନଗ୍ରସର ମହିଲାଙ୍କୁ ରାଜ୍ୟ ସରକାର ବର୍ଷକୁ ଦଶହଜାର ଟଙ୍କା ଲେଖାଁଏ ଆର୍ଥିକ ରାଶି ଯୋଗାଇଦେବେ । ରାକ୍ଷୀ ପୂର୍ଣ୍ଣିମା ଏବଂ ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ଆକାଉଣ୍ଟକୁ ଏହି ଅର୍ଥରାଶି ପ୍ରଦାନ କରାଯିବ । ତେବେ ସରକାରୀ ଚାକିରୀ କରିଥିବା, ଆୟକର ଦେଉଥିବା ଏବଂ ସ୍ବଚ୍ଛଳବର୍ଗର ମହିଳାଙ୍କୁ ଏହି ଯୋଜନାର ସୁଫଳ ମିଳିବ ନାହିଁ । ସେହିପରି କୌଣସି ମହିଳା ଅନ୍ୟ କୌଣସି ଯୋଜନାରେ ବାର୍ଷିକ 18 ହଜାର ଟଙ୍କା ସହାୟତା ରାଶି ପାଉଥିଲେ ସେମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । 2024-25 ଆର୍ଥିକବର୍ଷରୁ 2028-29 ଆର୍ଥିକବର୍ଷ ପର୍ଯ୍ୟନ୍ତ ପାଞ୍ଚବର୍ଷରେ ଏହି ଯୋଜନାରେ ରାଜ୍ୟ ସରକାର 55 ହଜାର 825 କୋଟି ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନାକୁ ମଂଜୁରୀ ଦେବା ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାମାନେ ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଅଙ୍ଗନଓ୍ୱାଡି କେନ୍ଦ୍ରରେ ମିଳୁଥିବା ଫର୍ମରେ ଆବେଦନ କରିପାରିବେ । ଏହି ଯୋଜନାକୁ ତଦାରଖ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଏକ ସୁଭଦ୍ରା ସୋସାଇଟୀ ଗଠନ କରାଯିବ ।

LEAVE A REPLY

Please enter your comment!
Please enter your name here