ଘରୁ ଡାକିଲେ, ଗୁଳିମାଡ କଲେ । କିନ୍ତୁ ଗୁଳିମାଡ କରି ଫେରାର ହେବା ପୂର୍ବରୁ ଗାଁ ଲୋକଙ୍କ ହାତରେ ଧରାପଡିଗଲା ଦୁର୍ବୃତ୍ତ । ବାସ୍ , ତା ପରେ ଆରମ୍ଭ ହୋଇଗଲା ଗୁଳିମାଡ କରିଥିବା ଯୁବକଙ୍କ ଉପରେ ଆକ୍ରମଣ । ଯିଏ ଯେମିତି ପାରିଲା, ସେମିତି ବାଡେଇଲା । କିଏ କହିଲା ହାତ ଗୋଡ ଭାଙ୍ଗି ଦିଅ, ଆଉ କିଏ କହିଲା ଆଖି ଫୁଟେଇ ଦିଅ । ଗୋଡ, ହାତ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକ ।
ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକର ସୁବର୍ଣ୍ଣପୁରରେ । ସକାଳୁ ଠିକାଦାର ଉମା ସାହୁଙ୍କ ଘରକୁ ଗୋଟିଏ ସ୍କୁଟିରେ ଆସି ପହଞ୍ଚିଥିଲେ ଦି ଜଣ ଦୁର୍ବୃତ୍ତ । ଉମା ସାହୁ ବାହାରକୁ ଆସ ବୋଲି ଡାକିଥିଲେ । ଠିକାଦାର ଉମା ସାହୁ ଘରୁ ବାହାରିବା ମାତ୍ରେ ଦୁଇ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ କରିଥିଲେ । ଉମାଙ୍କ ଗୋଡରେ ଗୁଳି ବାଜି ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ମାତ୍ର ଗୁଳିମାଡ ପରେ ଦୁଇ ଦୁର୍ବୃତ୍ତ ଗ୍ରାମବାସୀଙ୍କ ହାବୁଡରୁ ଖସି ଯାଇପାରି ନଥିଲେ । ଦୁଇ ଜଣଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା ସହିତ ସେମାନଙ୍କ ଗାଡିକୁ ନିଆଁ ଲଗେଇ ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରୁ ଦୁଇ ଯୁବକଙ୍କୁ ଥାନାକୁ ନେଇଛି ।

LEAVE A REPLY

Please enter your comment!
Please enter your name here