ଭୁବନେଶ୍ବର – ପ୍ରଦେଶ କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଡାକରା ଦିଆଯାଇଥିବା ବାରଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ଆଜି ସାରା ରାଜ୍ୟରେ ଅନୁଭୂତ ହୋଇଛି । ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି । ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଇକ ରାଲି କରାଯାଇ ବନ୍ଦ ପାଳନ କରାଯାଇଥିଲା । କଂଗ୍ରେସ ଓ ବାମପନ୍ଥୀ କର୍ମୀମାନେ ଜାତୀୟ ରାଜପଥରେ ବିକ୍ଷୋବ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ଯୋଗୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଭୁବନେଶ୍ବର ଷ୍ଟେସନରେ ବନ୍ଦ ସପକ୍ଷବାଦୀମାନେ ରେଳଲାଇନ ଉପରେ ବସି ରହିବା ଫଳରେ କିଛି ସମୟ ପାଇଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ବହୁ ଯାତ୍ରୀ ବସଷ୍ଟାଣ୍ଡରେ ହନ୍ତସନ୍ତ ହୋଇଛନ୍ତି । ସବୁ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି । ଭୁବନେଶ୍ବରରେ ଦଳୀୟ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ପୋଲିସ କର୍ଡନ ଭାଙ୍ଗିବା ଯୋଗୁ ପୋଲିସ ସେମାନଙ୍କୁ ଅଟକ ରଖିଛି । ମାଷ୍ଟରକାଣ୍ଟିନ ଛକ, ରାଜମହଲ ଛକ, ରସୁଲଗଡ, ଜୟଦେବବିହାର, କଳ୍ପନା, ଏଜି ପ୍ରମୁଖ ଛକ ସ୍ଥାନରେ ବନ୍ଦ ସପକ୍ଷବାଦୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । କଂଗ୍ରେସ ସମେତ ଆଠଟି ରାଜନୈତିକ ଦଳ ଏହି ବନ୍ଦରେ ସାମିଲ ହୋଇଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ବାହାରୁ ବନ୍ଦକୁ ସମର୍ଥନ ଜଣାଇଛି ।













