19 ବର୍ଷର ଆତଙ୍କୀ କହିଲା ସୀମା ଆରପଟେ ଚାଲିଥିବା ଆତଙ୍କବାଦର କାହାଣୀ । ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ଦିଆଯାଉଛି ତାଲିମ । ତାଲିମ ପରେ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ପାଇଁ ଟଙ୍କା ଦିଆଯାଉଛି । ଆଉ ଏହି ଟଙ୍କା ଲୋଭରେ କମ୍ ବୟସର ଯୁବକମାନେ ଆତଙ୍କବାଦୀ ପାଲଟି ଯାଉଛନ୍ତି ।
ଅଲ୍ଲୀ ବାବର ପାତ୍ର । ବୟସ 19 । ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ହାତରେ ଧରାପଡିଥିଲା ଅଲ୍ଲୀ ବାବର । ଆଜି ଭାରତୀୟ ସେନା ପକ୍ଷରୁ ଅଲ୍ଲୀ ବାବରର ଏକ ଭିଡିଓ ରିଲିଜ କରାଯାଇଛି, ଯେଉଁଥିରେ ସୀମା ପାର ଆତଙ୍କବାଦୀର କାହାଣୀ କ୍ୟାମେରା ସାମନାରେ ବୟାନ କରିଛି ଅଲ୍ଲୀ । ଅଲ୍ଲୀ କହିଛି, ପାକ ଅଧିକୃତ କାଶ୍ମୀରରେ ଲସ୍କର-ଇ-ତୋଇବା ତାକୁ ତାଲିମ ଦେଇଛି । ଜମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲା ପଟାନ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ ତାକୁ 20 ହଜାର ଟଙ୍କା ଦିଆଯାଇଥିଲା । କାମ ସରିବା ପରେ ଅବଶିଷ୍ଟ 30 ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସୀମାପାର କରି ଅନୁପ୍ରବେଶ କରୁଥିବା ବେଳେ ଭାରତୀୟ ସେନା କାଉଣ୍ଟର ଆକ୍ରମଣ କରିଥିଲେ । ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିବା ଅଲ୍ଲୀ ଏହି ସୂଚନା ଦେବା ସହ ଅଲ୍ଲୀ କହିଛି, ପାକ ଅଧିକୃତ ମୁଜାଫରବାଦସ୍ଥିତ ଲସ୍କର ଇ ତୋଇବା କ୍ୟାମ୍ପସରେ ଅନ୍ୟ 6 ଜଣ ଆତଙ୍କବାଦୀଙ୍କ ସହ ତାକୁ ତାଲିମ ଦିଆଯାଇଥିଲା । ଗତ କିଛିବର୍ଷ ମଧ୍ୟରେ ଏଲଓସି ନିକଟରୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀକୁ ଧରିବା ଭାରତୀୟ ସେନା ପାଇଁ ବିରଳ ଘଟଣା । 2016ରେ ଉରି ସେକ୍ଟରରେ ଅନୁପ୍ରବେଶ ବେଳେ ଭାରତୀୟ ସେନା ସହ ମୁକାବିଲା ହୋଇଥିଲା । ସେତେବେଳେ 19 ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇ ଆତଙ୍କବାଦୀଙ୍କ କ୍ୟମ୍ପ ଧ୍ବଂସ କରାଯାଇଥିଲା ।