ଗୁରୁବାର ପ୍ୟାରିସରେ ଯୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେସ୍ପକି ଏବଂ ୟୁରୋପୀୟ ନେତାମାନେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ ସହିତ ଆଲୋଚନା କରିଥିଲେ। ସଭାରେ ଯୁଦ୍ଧପୀଡ଼ିତ ଯୁକ୍ରେନ୍କୁ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ ବିଷୟରେ ଚର୍ଚ୍ଚା ହୋଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ ଯୁଦ୍ଧବିରତି ପରେ ୨୬ ଦେଶ ୟୁକ୍ରେନରେ ସେମାନଙ୍କର ସେନା ମୁତୟନ କରିବାକୁ ପ୍ରସ୍ତୁତ। ଏହି ବୈଠକ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଉପରେ ହୋଇଥିଲା। ରୁଷିଆ ବାୟୁସେନା କହିଛି ଯେ ଗତକାଲି ରାତିରେ ରୁଷିଆ ୧୧୨ ଡ୍ରୋନ୍ ସହିତ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଏଥିମଧ୍ୟରୁ ୮୪ଟି ଡ୍ରୋନ୍ ଖସାଇ ଦିଆଯାଇଥିଲା।
ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ସେରହି ନିକିଫୋରୋଭ ଜଣାଇଛନ୍ତି ଯେ, ପ୍ୟାରିସରେ ଭୋଲୋଡିମିର୍ ଜେଲେନ୍ସକି ଏବଂ ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫଙ୍କ ମଧ୍ୟରେ ଏକ ପୃଥକ ବୈଠକ ହୋଇଥିଲା। ଯୁଦ୍ଧବିରତି ପରବର୍ତ୍ତୀ ସମୟରେ ଯୁକ୍ରେନ୍ କୁ ସହାୟତା ଏବଂ ସାମରିକ ସମର୍ଥନ ପ୍ରଦାନ ପାଇଁ, ୱିଟକଫ ୟୁରୋପୀୟ ନେତାମାନଙ୍କ ସହ ଏକ ସ୍ବତନ୍ତ୍ର ବୈଠକର ଆହ୍ୱାନ କରିଥିଲେ। ୟୁକ୍ରେନ୍ ସମର୍ଥନରେ ମେଣ୍ଟର ନେତୃତ୍ୱ ନେଇଥିବା ମାକ୍ରୋନ୍ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର କହିଛନ୍ତି ଯେ ୟୁକ୍ରେନ୍ରେ ଯେକୌଣସି ୟୁରୋପୀୟ ବାହିନୀର ଉପସ୍ଥିତି ପାଇଁ ଆମେରିକାର ସମର୍ଥନ ଆବଶ୍ୟକ।
ବୈଠକ ପରେ ମାକ୍ରୋନ୍ କହିଲେ, ଯଦି ରୁଷ ସହିତ ଶାନ୍ତି ଚୁକ୍ତି ହୁଏ, ତେବେ ୨୬ଟି ଦେଶ ଏକାଠି ହୋଇ ଯୁକ୍ରେନ୍ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ସ୍ବରୂପ ଏକ ଅନ୍ତର୍ଜାତୀୟ ବାହିନୀ ଗଠନ କରିବେ। ସେହିସହିତ, ଜର୍ମାନୀ ଯୁକ୍ରେନ୍ ସୈନ୍ୟଙ୍କୁ ଅଧିକ ପାଣ୍ଠି ଓ ତାଲିମ ପ୍ରଦାନ କରିବାକୁ ସମ୍ମତି ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ୟୁରୋପୀୟ ନେତାମାନଙ୍କୁ ସଚେତନ କରି କହିଥିଲେ ଯେ, ୟୁରୋପ ରୁଷିଆଠାରୁ ତେଲ କିଣିବା ବନ୍ଦ କରିବା ଦରକାର, କାରଣ ଏହି ପଦକ୍ଷେପ ମସ୍କୋକୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧର ପାଣ୍ଠି ଯୋଗାଇବାରେ ସାହାଯ୍ୟ କରୁଛି। ଏହାପୂର୍ବରୁ, ବୁଧବାର ଟ୍ରମ୍ପ କହିଥିଲେ ଯେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତି ପାଇଁ ପ୍ରତିବଦ୍ଧ। ଟ୍ରମ୍ପ ଏବଂ ପୁଟିନ୍ ଗତ ମାସରେ ଆଲାସ୍କାରେ ଆଲୋଚନା କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ଦିଗରେ କୌଣସି ଅଗ୍ରଗତି ହୋଇନାହିଁ।














