ସ୍ବାଧୀନତାର 71 ବର୍ଷ ଅତିକ୍ରାନ୍ତ ହୋଇଗଲା. ଦେଶକୁ ଆହୁରି ଆଗକୁ ନେବା ପାଇଁ ଆମ ସରକାର ଯୋଜନା କରୁଛନ୍ତି. ବିଶ୍ବର ଶ୍ରେଷ୍ଠ ଦେଶରେ ପରିଣତ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି. ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବା ବେଳେ ଅତୀତର ସେ ସଂଘର୍ଷ, ପୂର୍ବସୂରୀଙ୍କ ସଂଗ୍ରାମ ଆମକୁ ଆଗକୁ ଚାଲିବା ପାଇଁ ପ୍ରେରଣା ଦେଉଛି. ଦେଶ ଭିତରେ ଥିବା ଦାରିଦ୍ର୍ୟ, ଗରିବୀ, ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିବା ପାଇଁ ଖୋରାକ ଯୋଗାଉଛି. 1947ରେ ଦେଶ ସ୍ବାଧୀନ ହେବା ବେଳକୁ ଆମ ଦେଶରେ ମାତ୍ର 12 ପ୍ରତିଶତ ଲୋକ ସାକ୍ଷର ଥିବା ବେଳେ ମାତ୍ର 25ଟି ବିଶ୍ବବିଦ୍ୟାଳୟ ଥିଲା. ସାରା ଦେଶରେ ମାତ୍ର 600 କଲେଜ ଥିଲା. ମାତ୍ର ଏବେ ଆମ ଦେଶରେ 800 ବିଶ୍ବବିଦ୍ୟାଳୟ ଓ 50 ହଜାର କଲେଜ ରହିଛି. ସେତେବେଳେ ଡାକ୍ତରଖାନା ଅଭାବରୁ ଦେଶରେ ଲୋକଙ୍କ ହାରାହାରୀ ଆୟୁଷ ମାତ୍ର 35 ବର୍ଷ ଥିଲା. ଏବେ କିନ୍ତୁ ମେଡିକାଲ ସାଇନ୍ସରେ ଭାରତ ବିଶ୍ବରେ ପ୍ରମୁଖ ରାଷ୍ଟ୍ର ଭାବେ ଗଣା ହେଉଛି. ପ୍ରତିବର୍ଷ 2 ଲକ୍ଷରୁ ଅଧିକ ବିଦେଶୀ ଆମ ଦେଶକୁ ଚିକିତ୍ସା ପାଇଁ ଆସୁଛନ୍ତି. ଏବେ ହାରାହାରୀ ଜୀବନଧାରଣ ବୟସ 70ରେ ପହଞ୍ଚିଛି. ସବୁ କ୍ଷେତ୍ରରେ ଦେଶ ଆଗଉଛି. ଆହୁରି ଆଗକୁ ବଢିବା ପାଇଁ ଆମ ଭିତରେ ସଂକଳ୍ପ ରହିବା ଦରକାର.