କୁହାଯାଏ ଯାହାର ପରମାୟୁ ଥିବ ତାକୁ କୈାଣସି ବିପଦ ଛୁଇଁପାରିବ ନାହିଁ. ଆଜି ତାହା ପ୍ରମାଣିତ ମଧ୍ୟ ହୋଇଛି. ଅଳ୍ପକେ ବଞ୍ଚିଯାଇଛନ୍ତି ସାଂସଦ ତଥା ସିନେ ଅଭିନେତା ଅନୁଭବ ମହାନ୍ତି. ସେ ଏକ ସିନେମାର ସୁଟିଂ ପାଇଁ ଜମ୍ମୁ କାଶ୍ମୀର ଯାଇଥିବା ବେଳେ ତାଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଛି ଯେଉଁଥିରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି. ସୂଚନା ମୁତାବକ, ଓଡ଼ିଆ ଫିଲ୍ମ ‘ପ୍ରେମ କୁମାର’ ସୁଟିଂ ପାଇଁ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ଯାଇଥିଲେ ଅନୁଭବ ମହାନ୍ତି. ତେବେ ସୁଟିଂ ସାରି ଫେରୁଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ. ହେଲେ ସୌଭାଗ୍ୟବଶତଃ ଅଳ୍ପକେ ଏଭଳି ଏକ ଦୁର୍ଘଟଣାରୁ  ବର୍ତ୍ତି ଯାଇଛନ୍ତି ସେ. ସେଠାରୁ ସୁଟିଂ ସାରି ଗାଡ଼ିରେ ଫେରୁଥିବା ବେଳେ ବାରମୁଲ୍ଲା ନିକଟରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ. ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ୍ ରବିନ୍ଦ୍ର ବେହେରା, ମେକଅପ୍ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିବା ବେଳେ ଅନ୍ୟ ଏକ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସମେତ ଅନ୍ୟ 5 ଜଣ ଥିଲେ. ତେବେ ଆତଙ୍କବାଦୀଙ୍କ ସହ ପୁଲିସର ମୁହାଁମୁହିଁ ହେବାବେଳେ ରାସ୍ତାରେ କିଛି ସମୟ ପାଇଁ ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା. ଅନ୍ୟପଟେ ସେହି ସ୍ଥାନରୁ ଖସିଯିବା ପାଇଁ ଡ୍ରାଇଭର ଉଦ୍ୟମ କଲା ବେଳେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଇଥିଲା. ହେଲେ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା. ତେବେ ସୂଚନା ମୁତାବକ, ଅନୁଭବଙ୍କ ସମେତ ତାଙ୍କ ସହଯୋଗୀ ସୁରକ୍ଷିତ ଭାବେ ଦିଲ୍ଲୀ ଫେରି ଆସିଛନ୍ତି.

LEAVE A REPLY

Please enter your comment!
Please enter your name here