ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ ହେବାକୁ ଯାଉଛି. ଦଳରୁ ବହିଷ୍କୃତ ହେବା ପରେ ଦାମ ବାବୁଙ୍କୁ ସହାନୁଭୂତି ଦେଖାଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭେଟିବା ପରେ ଏଭଳି ସଙ୍କେତ ମିଳୁଛି. ବିଜେଡିରେ ବିଜୁ ଆଦର୍ଶ ପଥଚ୍ୟୁତ ହୋଇଛି ବୋଲି ବିଜୁ ଅନୁଗତ ଅଭିଯୋଗ କରିଛନ୍ତି. ବିଜୁଙ୍କ ଦେହାନ୍ତ ପରେ ବିଜୁ ଆଦର୍ଶକୁ ବଞ୍ଚାଇ ରଖିବା ପାଇଁ ଗୋଟିଏ ସମୟରେ ଅନୁଗତମାନେ ନବୀନଙ୍କୁ ରାଜନୀତିକୁ ଆଣିଥିଲେ. ଭାବିଥିଲେ ରାଜନୀତିରେ ଅନଭିଜ୍ଞ ନବୀନଙ୍କୁ ସେମାନେ ନିଜ କବଜାରେ ରଖି ରାଜ୍ୟ ରାଜନୀତିରେ ନିଜ ପ୍ରଭାବ ବିସ୍ତାର କରିବେ. ମାତ୍ର ଗତ ଦୁଇ ଦଶନ୍ଧି ଭିତରେ ନବୀନ ରାଜନୀତିରେ ପୋଖତ ଖେଳ ଖେଳି ନିଜକୁ ବେଶ୍ ଧୂରୀଣ ପ୍ରତିପାଦିତ କରିସାରିଛନ୍ତି. ନିଜକୁ ବେଶ୍ ପୋଖତ ବୋଲି ମନେ କରୁଥିବା ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ଦାମୋଦର ରାଉତଙ୍କ ପର୍ଯ୍ୟନ୍ତ ନେତାମାନଙ୍କୁ ପାଣି ପିଆଇବାରେ ସଫଳ ହୋଇଛନ୍ତି ନବୀନ. ଅବଶ୍ୟ ଏସବୁ କାମ ପାଇଁ ସେ ପ୍ରଥମେ ପ୍ୟାରୀ ମୋହନ ମହାପାତ୍ର ଓ ପରେ ପାଣ୍ଡିଆନଙ୍କ ସାହାଯ୍ୟ ନେଉଛନ୍ତି. ଏଥିପାଇଁ  ତାଙ୍କୁ ବିରୋଧୀ ସମାଲୋଚନା କରୁଥିଲେ ହେଁ ସେ କାହାକୁ ଖାତିର କରିନାହାଁନ୍ତି. ନିଜ ସ୍ଥିତି ରକ୍ଷା ପାଇଁ ବାପାଙ୍କ ଅନୁଗତ ଥିବା ନେତାଙ୍କୁ ବଳି ପକାଇବାରେ ମାହିର୍ ନବୀନ ଦୁଇ ଦଶନ୍ଧି ଭିତରେ ରାଜ୍ୟର ଅପ୍ରତିଦ୍ବନ୍ଦି ନେତା ଭାବେ ପରିଗଣିତ ହୋଇଛନ୍ତି. ସବୁଠୁ ବଡ କଥା ହେଉଛି, ଯେତେବେଳେ ଯେଉଁ ବଡ ନେତାଙ୍କୁ ନବୀନ ଦଳରୁ କାଢିଛନ୍ତି, ସେତେବେଳେ ଅନ୍ୟ ବରିଷ୍ଠ ନେତାମାନେ ନିଜକୁ ଭାଗ୍ୟବାନ ବୋଲି ମନେ କରୁଥିଲେ. କ୍ଷମତା ଲୋଭରେ କେହି କେବେ କାହା ପାଇଁ କହୁ ନଥିଲେ. ସେହି ନ୍ୟାୟରେ ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ଶରତ କୁମାର କର, ପଞ୍ଚାନନ କାନୁନଗୋ,  ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ବୈଜୟନ୍ତ ପଣ୍ଡା ଓ ଏବେ ଦାମୋଦର ରାଉତଙ୍କ ପାଳି ପଡିଛି. ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ବିଜୁ ଅନୁଗତ ଏକାଠି ହେବେ ବୋଲି ରାଜନୀତି ପାଣିପାଗ କହୁଛି. ଦାମ ବାବୁଙ୍କୁ ଦଳରୁ ବହିଷ୍କାର କରାଯିବା ଠିକ୍ ହୋଇନାହିଁ ବୋଲି କହି ବିଜୁ ଅନୁଗତ କହୁଥିବା ବିଜୟ, ବୈଜୟନ୍ତ ଓ ଦିଲ୍ଲୀପ  ଦାମବାବୁଙ୍କ ସହ ମେଳି ବାନ୍ଧିବେ. ପୂର୍ବରୁ ବିଜେଡିରୁ ନିଲମ୍ବିତ  ଓ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରେ ମିଶିଥିଲେ ମଧ୍ୟ ଦଳ ଭିତରେ ଖାପଖୁଆଇ ଚଳି ପାରୁନାହାଁନ୍ତି. ତେଣୁ ଅନେକ ସମୟରେ ବିଜେପିରେ ଏହି ବିଜୁ ଅନୁଗତମାନେ ଏକଘରକିଆ ମନେ କରୁଛନ୍ତି. ତେଣୁ ନିର୍ବାଚନ ପୂର୍ବରୁ ବିଜୁ ଅନୁଗତଙ୍କ ରଣକୌଶଳ ରାଜ୍ୟ ରାଜନୀତିକୁ ନୂଆ ମୋଡ ଦେବାର ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here