ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ତନାଘନା । ମେ 29ରେ ରାଜ୍ୟପାଳ ଦାୟିତ୍ବ ନେବା ପରେ ନିଜ ଘର ହରିୟାଣା ସ୍ଥିତ ସିର୍ସାକୁ ଭଡା ବିମାନରେ ଯିବା ଓ ପୁଣି ଜେଟ୍ ଏୟାରକ୍ରାଫ୍ଟରେ ଓଡିଶା ଆସିବା ବାବଦରେ ଖର୍ଚ୍ଚ ହୋଇଛି 46 ଲକ୍ଷ 18 ହଜାର ଟଙ୍କା । ତେବେ ରାଜ୍ୟପାଳଙ୍କ ବିମାନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖାଯାଇ କୈଫୟତ ମଗାଯାଇଥିଲା । ୟୁଜର୍ସ ସାର୍ଟିଫିକେଟ ମଗାଯିବା ସହ କେଉଁ କାରଣ ପାଇଁ ରାଜ୍ୟପାଳ ଭଡା ବିମାନ ବ୍ୟବହାର କରିଛନ୍ତି, ସେସଂପର୍କରେ ଉତ୍ତର ଦେବାକୁ କୁହାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଚିଠିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ଏବଂ ବିରୋଧୀ ଏହାକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ପରେ ମୁଖ୍ୟ ଶାସନସଚିବ ରାଜ୍ୟପାଳଙ୍କ ପାଖକୁ ଯାଇ କ୍ଷମା ମାଗିଛନ୍ତି । ଏଭଳି ଭୁଲ ଯିଏ କରିଥିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ମାତ୍ର ସରକାରଙ୍କ ଅଜାଣତରେ ରାଜ୍ୟପାଳଙ୍କୁ ବିମାନ ବ୍ୟବହାର ନେଇ କୈଫୟତ ମଗାଯିବା ଏବଂ ପରେ ମୁଖ୍ୟ ଶାସନସଚିବ କ୍ଷମା ମାଗିବା ପ୍ରଶାସନିକ ପରିପକ୍ବତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here