ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଗୁରୁବାର ସନ୍ଧ୍ୟାରେ ପୁତିନ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନରେ ପହଞ୍ଚିବେ । ପୁତିନଙ୍କ ଗସ୍ତ ପାଇଁ ଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରୁଷ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରୁଷ ପ୍ରେସିଡେନ୍ସିଆଲ୍ ସିକ୍ୟୁରିଟି ଦ୍ୱାରା ଉଚ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରହିବା ସ୍ଥାନଠାରୁ ନେଇ କାର୍ଯ୍ୟକ୍ରମ ସ୍ଥାନ ଯାଏ କଡ଼ା ସୁରକ୍ଷା ବଳୟ ରହିବ । ଡ୍ରୋନ୍, ଜାମର୍, ଫେସ୍ ରିକଗ୍ନିଶନ୍ କ୍ୟାମେରା ସହିତ ଏଆଇ କ୍ୟାମେରା ଜରିଆରେ ସବୁକିଛି ପରିଚାଳନା କରାଯିବ । ଏଥିପାଇଁ କଣ୍ଟ୍ରୋଲ୍ ରୁମ୍ କରାଯାଇଛି । ଯେଉଁଠାରେ ବସି ପୁତିନଙ୍କ କାରକେଡ୍ ଉପରେ ସମ୍ପୂର୍ଣ୍ଣ ନଜର ରଖି ହେବ । ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରୁଷରୁ ସୁରକ୍ଷା ଅଧିକାରୀ ପୁତିନଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ପହଁଚିସାରିଛନ୍ତି । ସେମାନେ ଦିଲ୍ଲୀ ପୋଲିସ ଏବଂ ଏନଏସଜି ସହିତ ମିଶି ପୁତିନଙ୍କ ଯିବା ରାସ୍ତାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଦିଲ୍ଲୀ ପୋଲିସ ଏବଂ ଏନଏସଜି କମାଣ୍ଡର୍ ବାହାର ସୁରକ୍ଷା ବଳୟରେ ନିୟୋଜିତ ହେବେ ,ପ୍ରେସିଡେନ୍ସିଆଲ୍ ସିକ୍ୟୁରିଟି ଭିତର ସୁରକ୍ଷା ବଳୟରେ ନିୟୋଜିତ ହେବେ ।ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁତିନଙ୍କ ସାକ୍ଷାତ ସମୟରେ ଏସପିଜି କମାଣ୍ଡୋ ଭିତର ସୁରକ୍ଷା ବଳୟରେ ରହିବେ ଓ ସ୍ନାଇପର୍ସମାନେ ରାସ୍ତାକୁ କଭର୍ କରିବେ । ଗୁରୁବାର ଦୁଇ ଦେଶର ଶୀର୍ଷ ନେତୃତ୍ୱ ରାତ୍ର ଭୋଜନ କରିବେ । ଏହା ପରେ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ପୁତିନଙ୍କୁ ଆନୁଷ୍ଠାନିକଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ।ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ହାଇଦ୍ରାବାଦ ହାଉସରେ ଆୟୋଜିତ ଭାରତ-ରୁଷ-ସମିଟ ଏବଂ ଭାରତ ମଣ୍ଡପମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁତିନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।













