ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ବପୂର୍ଣ୍ଣ ଖବର। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାର ଏବେ ମୂଲ୍ୟାୟନ କରାଯିବ। ପ୍ରଶ୍ନପତ୍ର ଜିଲ୍ଲାସ୍ତରରେ ଛପାଯିବ ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେଗୁଡ଼ିକୁ ରଖାଯିବ। ପରୀକ୍ଷା ଦିନ ସକାଳେ ପ୍ରଶ୍ନପତ୍ର ବିଦ୍ୟାଳୟକୁ ପହଞ୍ଚିବ।ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍ଟି ଆଣ୍ଡ ଏସ୍ସି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍ବୁକ୍ ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ୱରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି। ଟିଇ ଆଣ୍ଡ୍ ଏସ୍ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି। ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି।ଜିଲ୍ଲାସ୍ତରୀୟ ମନିଟରିଂ କମିଟି ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ(ଡିଇଓ) ଓ ଡିଆଇଇଟି ସେମାନଙ୍କ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ପ୍ରଶ୍ନପତ୍ରଗୁଡ଼ିକ ଟିଇ ଆଣ୍ଡ୍ ଏସ୍ସିଇଆରଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ଢାଞ୍ଚା ଓ ନମୁନା ପ୍ରଶ୍ନ ଉପରେ ଆଧାରିତ ହେବ। ଡିଇଓମାନେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ପଦକ୍ଷେପ ନେବା ସହ ଜିଲ୍ଲାସ୍ତରରେ ସେଗୁଡ଼ିକର ସୁରକ୍ଷିତ ସଂରକ୍ଷଣକୁ ସୁନିଶ୍ଚିତ କରିବେ।ଧାର୍ଯ୍ୟ ପରୀକ୍ଷା ତାରିଖର ଅତିକମ୍ରେ ୭ ଦିନ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ବିଇଓମାନେ ବ୍ଲକସ୍ତରରେ ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ ରୁମ୍ରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗଠିତ ଦଳ ପରୀକ୍ଷାର ତିନି ଦିନ ପୂର୍ବରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ ଏବଂ ସେମାନଙ୍କର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ । ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ହେବ। ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ। ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ। ସ୍କୁଲ ସ୍ବରରେ ବିଷୟଭିତ୍ତିକ ଶିକ୍ଷକମାନେ ଉତ୍ତରଖାତା ମୂଲ୍ୟାୟନ କରି ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦେବେ। ଫେବ୍ରୁଆରି ମାସରେ ପରୀକ୍ଷା ହେବ ଓ ମାର୍ଚ୍ଚ ଶେଷ ସପ୍ତାହରେ ଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଇଛି।













