ଛାତ୍ରୀଙ୍କୁ ଅସଦାଚରଣ ମାମଲା ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଏବଂ ଶିକ୍ଷକଙ୍କୁ ନିଲମ୍ବିତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ କେନ୍ଦ୍ରାପଡ଼ାଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । ଅଭିଯୋଗ ମୁତାବକ, ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଏକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମରପ୍ରସାଦ ମଲ୍ଲିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରି ଆସୁଥିଲେ । ଗତକାଲି ସାତ ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସଂପର୍କରେ ଅଭିଯୋଗ ହୋଇଥିଲା । ଜଣେ ଛାତ୍ରୀ କାନ୍ଦିକାନ୍ଦି ଏକଥା ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବୈଠକକୁ ଯାଇଥିବା ପ୍ରଧାନଶିକ୍ଷକଙ୍କୁ ଶିକ୍ଷୟିତ୍ରୀଜଣକ ଏ ନେଇ ଫୋନ୍ରେ ଅବଗତ କରିଥିଲେ । ଆଜି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଦୁଇଟି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୋଗ କରିଥିବା ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଛାତ୍ରୀମାନଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଯାଇଥିଲା । ଲଛାତ୍ରୀମାନେ ବିଜ୍ଞାନ ଶିକ୍ଷକଙ୍କ ଆଚରଣ ସଂପର୍କରେ କହିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା । ସେ ଘଟଣାକୁ ସ୍ବୀକାର କରିବା ସହ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି । ପଚରାଉଚରା ବେଳେ ସମସ୍ତଙ୍କ ସମ୍ମୁଖରେ ୫୦ରୁ ଅଧିକ ଛାତ୍ରୀ ସମାନ ଅଭିଯୋଗ ଆଣିଥିଲେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।













