ଗୀତଗୋବିନ୍ଦ ସଦନ ଠାରେ ଦିବଂଗତ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୩ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ଆୟୋଜିତ ହୋଇ ଯାଇଛି ।
ପ୍ରାରମ୍ଭରେ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ସଂପର୍କରେ ସୂଚନା ଦେଇଥିଲେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳା ଇତିହାସ ବିଭାଗର ପ୍ରଫେସର ତଥା ବିଶିଷ୍ଟ କଳା ଐତିହାସିକ ଶ୍ରୀଯୁକ୍ତ ପ୍ରଦୋଷ ମିଶ୍ର l ତାପରେ ଚନ୍ଦ୍ରଶେଖର ରାଓ ସ୍ମୃତି ବକ୍ତୃତାକୁ ଓଡିଶାର ବିଶିଷ୍ଟ ଚିତ୍ରକର ଶ୍ରୀ ରାମହରି ଜେନା ସଚିତ୍ର ଭାବରେ ଉପସ୍ଥାପନ କରିଥିଲେ। ବକ୍ତୃତାର ବିଷୟ ଥିଲା “ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ’। ଚନ୍ଦ୍ରଶେଖର ରାଓଙ୍କ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ପ୍ରଥମେ ସେ ସ୍ମରଣ କରିଥିଲେ । ସେ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରଶେଖରଙ୍କ କଳା ଯାତ୍ରା ଉପରେ ଆଲୋଚନା କରିବା ସହ ଶିଳ୍ପୀଙ୍କର ଛାତ୍ରାବସ୍ଥାର ଲୋକ ଲୋଚନରୁ ଅଗୋଚରରେ ଥିବା ଅନେକ କଳାକୃତି ଉପସ୍ଥାପନ କରିଥିଲେ । ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ କଳା ସଂପର୍କିତ କାର୍ଯ୍ୟକଳାପର ବିସ୍ତାର କରିବା ପାଇଁ ଭୁବନେଶ୍ୱରରେ ଗଠିତ ପ୍ରଥମ କଳାକାରଙ୍କ ସଂଗଠନ ୱାର୍କିଂ ଆର୍ଟିଷ୍ଟ ଆସୋସିଏସନର ଚେୟାରମ୍ୟାନ୍ ଭାବରେ ଚନ୍ଦ୍ରଶେଖର ରାଓଙ୍କ ଭୂମିକା ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ନିକଟରେ ଓଡ଼ିଶା ଲଲିତ କାଳା ଏକାଡେମୀ ଦ୍ୱାରା ପ୍ରକାଶିତ ଓ ଡ ରମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା ଲିଖିତ ଚନ୍ଦ୍ରଶେଖର ରାଓଙ୍କ ଉପରେ ଲିଖିତ ମୋନୋଗ୍ରାଫ୍ ଏକାଡେମୀର ସଚିବ ପଞ୍ଚାନନ ସାମଲଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା । ଉତ୍ସବରେ ଓଡ଼ିଶାର ଅନେକ ମାନ୍ୟଗଣ୍ୟ କଳାକାର , ସାହିତ୍ୟକ ଏବଂ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ । ଉତ୍ସବର ସ୍ଵାଗତ ସୂଚନା, ଧନ୍ୟବାଦ ସହ ଉତ୍ସବକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ ସୁମିତ୍ରା ପାଢ଼ୀ I