ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ବୁଧବାର କ୍ୟାବିନେଟ୍ ବୈଠକରେ ଦେଶରେ ୫୦୦୦ ସ୍ନାତକୋତ୍ତର (ପିଜି) ଏବଂ ୫,୦୨୩ ଏମବିବିଏସ୍ ସିଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଦେଶର ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକୁ ମଜବୁତ ଏବଂ ଅପଗ୍ରେଡ୍ କରିବା ପାଇଁ କେନ୍ଦ୍ର ପ୍ରାୟୋଜିତ ଯୋଜନାର ପ୍ରଥମ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ପ୍ରତି ସିଟ୍ ପାଇଁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଦୁଇଟି ଯୋଜନା ପାଇଁ ମୋଟ ୧୫୦୩୪.୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ କେନ୍ଦ୍ରୀୟ ଅଂଶ ୧୦,୩୦୩.୨୦ କୋଟି ଏବଂ ରାଜ୍ୟ ଅଂଶ ହେଉଛି ୪୭୩୧.୩୦ କୋଟି ରହିବ । ଏହାର ଲକ୍ଷ୍ୟ ହେଉଛି ସ୍ନାତକ ଚିକିତ୍ସା କ୍ଷମତା ବୃଦ୍ଧି କରିବା, ଅତିରିକ୍ତ ସ୍ନାତକୋତ୍ତର ସିଟ୍ ସୃଷ୍ଟି କରି ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି କରିବା, ସରକାରୀ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ନୂତନ ବିଶେଷଜ୍ଞତା ପ୍ରଚଳନକୁ ସକ୍ଷମ କରିବା ଏବଂ ଦେଶରେ ଡାକ୍ତରଙ୍କ ସାମଗ୍ରିକ ଉପଲବ୍ଧତାକୁ ମଜବୁତ କରିବା ।














