ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କରିବାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିଲା ପାକିସ୍ଥାନକୁ । ଧର୍ମ ପଚାରି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଉଦ୍ଦେଶ୍ୟ ଥିଲା, ଭାରତରେ ଦୁଇ ଧର୍ମାବଲମ୍ବୀ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା । ଧର୍ମକୁ ନେଇ ଦେଶ ଭିତରେ ଲଢେଇ କରାଇବା । ଆତଙ୍କବାଦୀଙ୍କୁ ଲଗେଇ ପାକିସ୍ଥାନ ଯେଉଁଭଳି ଅତି ହୀନ, ଅମାନବିକ ଓ ବର୍ବର କାର୍ଯ୍ୟ କରିଥିଲା, ତାର ଭୟଙ୍କର ପରିଣାମ ଯେ ତାକୁ ଭୋଗ କରିବାକୁ ପଡିବ, ସେ କେବେ କଳ୍ପନା କରିପାରି ନ ଥିଲା । ସାରାଦେଶରେ ପହଲଗାମ୍ ଆକ୍ରମଣର ପ୍ରତିକ୍ରିୟା ଥିଲା, ଯୁଦ୍ଧ । ଭାରତ ଯୁଦ୍ଧ କରି ପାକିସ୍ଥାନକୁ ବୁଦ୍ଧି ଶିଖେଇବା ଦରକାର । ଆଉ ସୀମାରେ ଗୁଳି ଗୋଳାର ଯୁଦ୍ଧ ନୁହେଁ, ତିନି ସେନାର ଆକ୍ରମଣ କରାଯାଉ ବୋଲି ଦେଶବାସୀ ଚାହୁଁଥିଲେ । ସିନ୍ଧୁ ଜଳ ଚୁକ୍ତି ବାତିଲ କରି ଭାରତ ପାକିସ୍ଥାନ ବିରୋଧରେ କୂଟନୈତିକ ଆକ୍ରମଣ ଆରମ୍ଭ କରିଥିଲେ ହେଁ ଦେଶବାସୀଙ୍କ ମନ ବୁଝି ନ ଥିଲା । ଅନ୍ୟପକ୍ଷରେ ଭାରତକୁ ବାରମ୍ବାର ରଣହୁଙ୍କାର ଦେଉଥିଲେ ପାକିସ୍ଥାନ ସରକାର । ବିଭିନ୍ନ ସମୟରେ ପାକିସ୍ଥାନୀ ମନ୍ତ୍ରୀମାନେ ଆତଙ୍କବାଦୀଙ୍କୁ ତାଙ୍କ ଦେଶ ଦଶନ୍ଧ ଦଶନ୍ଧି ଧରି ପ୍ରୋତ୍ସାହନ ଦେଇ ଆସୁଥିବା କଥା ଖୋଲାଖୋଲି କହିଥିଲେ । ଏମିତି ସ୍ଥିତି ହୋଇଥିଲା ଯେ, ବାଂଲାଦେଶ ଭଳି ଦେଶ ମଧ୍ୟ ପାକିସ୍ଥାନ ଉପରେ ଭାରତ ଆକ୍ରମଣ କଲେ ସେମାନେ ଭାରତ ଉପରେ ଆକ୍ରମଣ କରିବେ ବୋଲି କହିଲେ । ଚୀନ୍ ମଧ୍ୟ ପାକିସ୍ଥାନକୁ ଖୋଲାଖୋଲି ସମର୍ଥନ କଲା । ଭାରତର ଶକ୍ତି ଓ ସାମର୍ଥ୍ୟ ଉପରେ ଏହା ଥିଲା ସବୁଠୁ ବଡ ପ୍ରଶ୍ନ । ସମସ୍ତଙ୍କ ସହ ଆଲୋଚନା, ବିଚାର ବିମର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶତ୍ରୁ ପାକିସ୍ଥାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସ୍ବାଧୀନତା ଦେଲେ । ଆଉ ପହଲଗାମ୍ ଘଟଣାର ଚଉଦ ଦିନ ପରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୁର ।

ଭାରତୀୟ ସେନାକୁ ସଲାମ । ରାତି ଗୋଟାଏ ପାଞ୍ଚରେ ସମସ୍ତେ ଶୋଇଥିବା ବେଳେ ଭାରତୀୟ ବାୟୁ ସେନା 9ଟି ଯୁଦ୍ଧ ବିମାନ ଧରି ପାକିସ୍ଥାନ ଭିତରକୁ ପ୍ରବେଶ କରିଥିଲେ । ପାକ୍ ଅଧିକୃତ କାଶ୍ମୀରର ପାଞ୍ଚଟି ଆତଙ୍କବାଦୀ ଆଡ୍ଡା ଏବଂ ପାକିସ୍ଥାନର ଚାରୋଟି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ପକାଇ ଧ୍ବଂସ କରି ଦେଶକୁ ଫେରି ଆସିଥିଲେ । ମାତ୍ର 25 ମିନିଟ ଭିତରେ ପାକିସ୍ଥାନ ମାଟିରେ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ସେନା । କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନାର ଏହି ପ୍ରହାର ପରେ ପାକିସ୍ଥାନ ଯଦି ଭାରତର ଶକ୍ତି ଓ ସାମର୍ଥ୍ୟକୁ ଆକଳନ କରିପାରିଥାନ୍ତା, ତେବେ ଏଭଳି ଦଶା ଭୋଗିବାକୁ ପଡି ନଥାନ୍ତା । ଓଲଟା ନିହତ ଆତଙ୍କବାଦୀଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେଇ ଭାରତ ଉପରେ ଗୁଳିଗୋଳା ବର୍ଷା କରିବା ଆରମ୍ଭ କଲା । କାଶ୍ମୀର, ଜମ୍ମୁ, ରାଜସ୍ଥାନର ଜନବସତି ଉପରେ ଆକ୍ରମଣ ଆରମ୍ଭ କରିଦେଲା । ପାକିସ୍ଥାନକୁ ଜବାବ ଦେବା ପାଇଁ ତୟାର ଭାରତୀୟ ସେନା ଡ୍ରୋନ ଆକ୍ରମଣ କରି ଲାହୋରରେ ବିସ୍ଫୋରଣ କଲେ । ପାକିସ୍ଥାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦେଲେ । ଏହାପରେ ବି ପାକିସ୍ଥାନର ଚେତା ପଶିଲାନି । ବାରମ୍ବାର ଭାରତ ଉପରେ ଡ୍ରୋନ ଓ ମିସାଇଲ ଆକ୍ରମଣ କରିବା ଜାରି ରଖିଲା । ୟଦିଓ ଭାରତୀୟ ସେନା ଓ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ଥାନର ଗୋଟିଏ ବି ଡ୍ରୋନ କି ମିସାଇଲକୁ ଭାରତର ମାଟି ଛୁଇଁବାକୁ ଦେଇନାହାଁନ୍ତି ।

ଭାରତୀୟ ସେନାକୁ ସଲାମ କରିବା କଥା, ସେମାନେ ଅତି ସାହସର ସହ ନିଜ ଜୀବନକୁ ବାଜି ଲଗାଇ ଦେଶର ସାର୍ଭୌମତ୍ବ, ଅଖଣ୍ଡତା ରକ୍ଷା କରିବା ସହ ପାକିସ୍ଥାନକୁ ଉଚିତ ଶାସ୍ତି ଦେବାରେ ସଫଳ ହୋଇଛନ୍ତି । (ଅପୂର୍ବ କୁମାର ମହାନ୍ତି )

LEAVE A REPLY

Please enter your comment!
Please enter your name here