ଯେତେବେଳେ ଆମେ ଶୌଚାଳୟ ପାଖ ଦେଇ ଯାଇଥାଉ ଦୁର୍ଗନ୍ଧରେ ଆମ ନାକ ବନ୍ଦ ହେଇଯାଏ. କିନ୍ତୁ ଶୌଚାଳୟରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ବାର ବର୍ଷ ହେବ ରହିଆସୁଛନ୍ତି ଖୋଖୋ ଖେଳାଳୀ ଜୁହୀ. ଆପଣଙ୍କୁ ଏ କଥାଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ.କିନ୍ତୁ ଏହା ସଂପୂର୍ଣ୍ଣ ସତ. ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ଖୋ-ଖୋ ଖେଳାଳୀ ଜୁହୀ ଝା ଦୀର୍ଘ 12 ବର୍ଷ ଧରି ଶୌଚାଳୟରେ ରହି ଆସୁଛନ୍ତି. ତା ଭିତରେ ରହି ମଧ୍ୟ ସେ ନିଜ ସ୍ୱପ୍ନକୁ ଭୁଲିଯାଇ ନାହାନ୍ତି. ଖେଳରେ ଚମତ୍କାର ପ୍ରଦର୍ଶନ କରି ସରକାରଙ୍କ ଠାରୁ ବିକ୍ରମ ପୁରସ୍କାର ପ୍ରାପ୍ତ କରିଛନ୍ତି ଜୁହୀ. ଚତୁର୍ଥ ଶ୍ରେଣୀରୁ ହାପି ୱଣ୍ଡର୍ସରେ ଖୋ-ଖୋ ଖେଳିଆସୁଛନ୍ତି ଜୁହୀ. ବାପା ସୁବୋଧ କୁମାର ଝା ନଗର ନିଗମ ନିକଟସ୍ଥ ଗଞ୍ଜି କମ୍ପାଉଣ୍ଡରେ ଚାକିରି କରୁଥିଲେ. ସେହି ଶୌଚାଳୟ ଭିତରେ ଜୁହୀଙ୍କ ପରିବାରର 5 ଜଣ ସଦସ୍ୟ ରହୁଥିଲେ. ଜୁହୀ କୁହନ୍ତି, ଆମେ ଏହି ଶୌଚାଳୟରେ ପାଖାପାଖି 12 ବର୍ଷ ବିତେଇଛୁ. ବାପାଙ୍କ ମାସିକ ଆୟ 6 ରୁ 7 ହଜାର ଥିଲା. ତାହା ଭିତରେ ବାପାଙ୍କୁ ଘର ଚଳାଇବାକୁ ପଡୁଥିଲା. 3 ବର୍ଷ ପରେ ବାପାଙ୍କ ଚାକିରି ଚାଲିଗଲା ଆଉ ଘର ଚଳେଇବା ବହୁତ କଷ୍ଟ ହେଉଥିଲା. ହେଲେ ଏତେ କଷ୍ଟ ଭିତରେ ଥାଇ ମଧ୍ୟ ମୁଁ ଖେଳକୁ ଛାଡିଲି ନାହିଁ. ପରେ ମୋର ଏକ ସ୍କୁଲରେ ଚାକିରି ହେବାରୁ ଘରକୁ ମୁଁ ଟିକେ ସାହାଯ୍ୟ କରିପାରିଲି. ମୋର ସରକାରୀ ଚାକିରି ହେଇଗଲେ ମୁଁ ପରିବାରକୁ ସାହାଯ୍ୟ କରିବି ବୋଲି କହିଛନ୍ତି ଜୁହୀ.