ନୂଆଦିଲ୍ଲୀ:ଆସନ୍ତା ରବିବାର ଜନତା କର୍ଫ୍ୟୁ । କରୋନା ସତର୍କତା ସ୍ୱରୁପ ଆସନ୍ତା ୨୨ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ କହିଛନ୍ତି । ୧୩୦ କୋଟି ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଏହି ଜନତା କର୍ଫ୍ୟୁ ଜନତାଙ୍କ ଦ୍ୱାରା ଏବଂ ଜନତାଙ୍କ ପାଇଁ ହେବ । କାରଣ ଏହା ହେବ ନିଜେ ନିଜ ଉପରେ ଲଗାଇଥିବା କର୍ଫ୍ୟୁ । ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କରୋନା ଭାଇରସକୁ ନେଇ ଯେପରି ଗୁରୁତର ସଙ୍କଟ ଦେଖାଦେଇଛି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବି ଏତେ ସଙ୍କଟ ହୋଇନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଶ୍ୱ ମହାମାରୀ କରୋନାରେ ଭୟଭୀତ ନ ହେବା ପାଇଁ କହିଛନ୍ତି । କିନ୍ତୁ ସମସ୍ତଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି । ଘରେ ରହିବା ପାଇଁ ଏବଂ ଅତି ଜରୁରୀ ସ୍ଥିତିରେ ହିଁ ଘରୁ ବାହାରିବା ପାଇଁ ନିବେଦନ କରିଛନ୍ତି । ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସବୁ ମହଲରେ ସମର୍ଥନ ମିଳିଛି ।

LEAVE A REPLY

Please enter your comment!
Please enter your name here