ଦିଲ୍ଲୀ ମୁଗଲକାବାଦ ଓ ହରିୟାଣା ପଲବଲ ମଧ୍ୟରେ ନିର୍ମାଣ ହେଉଛି ଚତୁର୍ଥ ରେଳ ଲାଇନ. ଏଥିପାଇଁ ନ୍ୟୁ ଫରିଦାବାଦରେ ନନ୍ ଇଣ୍ଟରଲକିଂର କାମ କରିବା ପାଇଁ ଡିସେମ୍ବର 22 ଓ 23 ତାରିଖରେ ସେହି ମାର୍ଗରେ ସମସ୍ତ ରେଳ ଚଲାଚଳକୁ ବନ୍ଦ କରାଯାଇଛି. 100ରୁ ଅଧିକ ଟ୍ରେନ ଚଳାଚଳ ବନ୍ଦ କରିବା ସହ କେତୋଟି ଟ୍ରେନର ରୁଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛି ରେଳ ବିଭାଗ. ଫଳରେ ସେହିଠାରୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ଥିବା ଯାତ୍ରୀ ଏବଂ ଲୋକାଲ ଯାତ୍ରୀଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ. ଚତୁର୍ଥ ଲାଇନ କାମ ସରିବା ପରେ ଟ୍ରେନ ସମୟ ନିର୍ଦ୍ଧାରଣ କରାଯିବ ଏବଂ ଡିସେମ୍ବର 22 ଓ 23 ତାରିଖରେ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ନନ୍ ଇଣ୍ଟରଲକିଂର କାମ ଚାଲୁଥିବା ସୂଚନା ଦେଇଛନ୍ତି ରେଳ ଅଧିକାରୀ. 22 ତାରିଖ ଦିନ 54ଟି ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିବା ବେଳେ 23 ତାରିଖ ଦିନ 50ଟି ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି. ଅନ୍ୟପଟେ 32ଟି ଟ୍ରେନର ରୁଟ ମଧ୍ୟ ପରିବର୍ତ୍ତନ କରାଯାଇଛି. ତେବେ ରଦ୍ଦ ହୋଇଥିବା ମୁଖ୍ୟ ଟ୍ରେନ ଭିତରେ ଗୁଜୁରାଟ ସଂପର୍କ କ୍ରାନ୍ତି ଏକ୍ସପ୍ରେସ, ନିଜାମଉଦ୍ଦିନ-ଜବଲପୁର ଶ୍ରୀଧାମ ସୁପରଫାଷ୍ଟ ଏକ୍ସପ୍ରେସ, ହଜରତ ନିଜାମଉଦ୍ଦିନ-କୋଟା ଜନଶତାବ୍ଦୀ ଏକ୍ସପ୍ରେସ, ଅମୃତସର-ନାନ୍ଦେଡ ସଚଖଣ୍ଡ ଏକ୍ସପ୍ରେସ ଓ ଅମୃତସର-ଇନ୍ଦୋର ଏକ୍ସପ୍ରେସ ଭଳି ମୁଖ୍ୟଟ୍ରେନ ସାମିଲ ରହିଛି.