କ୍ୟାପଟେନ୍ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟ ଜିତିଛି ଭାରତୀୟ ଦଳ । ୩୩୬ ରନରେ ଜିତିଛି ଟିମ୍ । ଏହି ବିଜୟ ସହିତ, ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ରେ ସମାନ କରିଛି । ଲିଡ୍ସରେ ପ୍ରଥମ ଟେଷ୍ଟ ହାରିବା ପରେ ଭାରତୀୟ ଦଳ ଯେଉଁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ତାହାର ପ୍ରକୃତ ନାୟକ ଥିଲେ ଅଧିନାୟକ ଶୁଭମନ ଗିଲ।
ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଭାରତର ଉଭୟ ଇନିଂସରେ ଶତକ ହାସଲ କରି ଶୁଭମନ ଗିଲ ରେକର୍ଡ ବ୍ରେକ୍ କରିଥିଲେ । ପ୍ରଥମ ଇନିଂସରେ ଶୁଭମନ ଗିଲ ୩୦ ଚୌକା ଏବଂ ୩ ଛକା ସହାୟତାରେ ୨୬୯ ରନ କରିଥିଲେ । ଯାହା ତାଙ୍କର ସର୍ବୋତ୍ତମ ଟେଷ୍ଟ ସ୍କୋର ଥିଲା । ଦ୍ୱିତୀୟ ଇନିଂସରେ ତାଙ୍କ ବ୍ୟାଟରୁ ୧୬୧ ରନ ଆସିଥିଲା। ଅର୍ଥାତ୍, ଏହି ମ୍ୟାଚରେ ଶୁଭମନଙ୍କ ମୋଟ ସ୍କୋର ୪୩୦ ରନ ଥିଲା, ଯାହା କୌଣସି ଭାରତୀୟ ବ୍ୟାଟସମ୍ୟାନଙ୍କ ପାଇଁ ଟେଷ୍ଟରେ ସର୍ବାଧିକ।













