ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀଙ୍କ ମଙ୍ଗଳବାର ହେଉଛି 63ତମ ଜନ୍ମଦିନ. କିଛିମାସ ପରେ ନିର୍ବାଚନ ଥିବାରୁ ମାୟାବତୀଙ୍କ ଜନ୍ମଦିନ ଉପରେ ସମସ୍ତଙ୍କ ନଜର ରହିବା ସହ ସବୁ ବର୍ଷ ଭଳି ଚଳିତ ଥର ମଧ୍ୟ ଲକ୍ଷ୍ମୌରେ ମାୟାବତୀ ନିଜ ବ୍ଲୁ ବୁକର ଉନ୍ମୋଚନ କରିବେ. ଅନ୍ୟପଟେ ସହଯୋଗୀ ଦଳର ନେତାମାନେ ଦିଲ୍ଲୀରେ ତାଙ୍କୁ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବେ. ସପା(ସମାଜବାଦୀ ପାର୍ଟି) ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନରେ ଉପସ୍ଥିତ ହେବେ. 23 ବର୍ଷର ପୁରୁଣା ରାଗକୁ ଭୁଲି ବସପା (ବହୁଜନ ସମାଜ ପାର୍ଟି)ଓ ସପା (ସମାଜବାଦୀ ପାର୍ଟି) ତିନିଦିନ ପୂର୍ବରୁ ହାତ ମିଶାଇଛନ୍ତି. ଅଖିଳେଶ ଯାଦବ ଓ ମାୟାବତୀଙ୍କ ମଧ୍ୟରେ ହୋଇଥିବା ଏହି ବନ୍ଧୁତାକୁ ନେଇ ବ୍ୟାନର ଓ ପୋଷ୍ଟର ମଧ୍ୟ ଲାଗିବା ଆରମ୍ଭ ହେଲାଣି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ବର୍ଷ ହେବ ମାୟାବତୀଙ୍କ ଜନ୍ମଦିନକୁ ପ୍ରତିବର୍ଷ ଜନ କଲ୍ୟାଣକାରୀ ଦିବସ ରୂପେ ପାଳନ କରାଯାଉଛି. ଚଳିତ ବର୍ଷ ମଧ୍ୟ ବିଏସପିର କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଗରିବଙ୍କୁ କପଡା, ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବହୃତ ଜିନିଷ ପ୍ରଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ଲକ୍ଷ୍ମୌର ବିଏସପିର କାର୍ଯ୍ୟାଳୟରେ 63 କେଡିର କେକ୍ କଟାଯିବା ସହ ବିଏସପିର ଅଧ୍ୟକ୍ଷଙ୍କ ଭାଷଣକୁ ଜିଲ୍ଲା ମୁଖ୍ୟାଳୟରେ ପ୍ରସାରଣ କରାଯିବ.