ସ୍ୱର ସାମ୍ରାଜ୍ଞୀ , ମେଲୋଡି କୁଇନ, ଭଏସ ଅଫ ଇଣ୍ଡିଆ ଲତା ମଙ୍ଗେସକର ଆଜି ୯୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଭାରତ ରତ୍ନ ସ୍ୱର ସାମ୍ରାଜ୍ଞୀଙ୍କ ପାଖରେ ଯେମିତି ବୟସ ହାର ମାନିଛି । ଦେଶରେ କୋଣ ଅନୁକୋଣରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବେଶ୍ ପରିଚିତ । ୧୯୨୯ ମସିହାରେ ସେପ୍ଟମ୍ବର ୨୮ରେ ଇନ୍ଦୋରର ଏକ ମରାଠୀ ମଧ୍ୟବିତ୍ତ ପରିବାରରେ ଲତା ଜନ୍ମ ହୋଇଥିଲେ । ଏବଂ ୧୩ ବର୍ଷ ବୟସରୁ ମରାଠୀ ଫିଲ୍ମ ‘କିଟି ହାସଲ’ରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାପରେ ସଫଳତାର ପାହାଚ ଚଢି ଚଢି ଯାଇଛନ୍ତି ଲତା । ୨୦ଟି ଭାଷାରେ ୨୫ହଜାରରୁ ଅଧିକ ଗୀତ ଗାଇଛନ୍ତି ସେ । ରୋମାଞ୍ଚିକ୍ ହେଉ କି ଦୁଖଃଭରା ସଙ୍ଗ୍ ସବୁଥିରେ ଲତାଙ୍କ ଗୀତ ସୁପରହିଟ୍ । ସେ ଯାହା ଗାଆନ୍ତି ଲୋକଙ୍କୁ ଆନମନା କରିଦିଅନ୍ତି । ‘ଏ ମେରେ ବତନ’ ଗୀତ ଗାଇ ଭାରତୀୟ ଯବାନଙ୍କ ମନବୋଳ ବଢାଇଥିଲେ । କେବଳ ଭାରତୀୟ ଯବାନ କାହିଁକି ଏହି ଗୀତଟି ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଇଥିଲା । ସାଧାରଣ ଲୋକଟିଏ ଏହି ଗୀତ ଶୁଣିଲେ ଯେମିତି ଲୋମ ଟାଙ୍କୁରି ଉଠେ । ସଙ୍ଗୀତ ରାଇଜର ରାଜକୁମାରୀ ସମସ୍ତଙ୍କଠୁ ସାଉଁଠିଛନ୍ତି ଅଜସ୍ର ଭଲପାଇବା । କେବଳ ହିନ୍ଦି ନୁହେଁ ଓଡିଆ ଗୀତ ଗାଇବାରେ ମଧ୍ୟ ସୁଯୋଗ ପାଇଛନ୍ତି ଲତା । ସତରେ ତାଙ୍କ ଗୀତ ଦିଲ୍କୁ ଛୁଇଁଯାଏ ।
ଆଜି ତାଙ୍କ ଜନ୍ମଦିନରେ ଦେଶ ବିଦେଶର ଅନେକ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ଆର୍ଟ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତକ୍ଷକ ଟିଭି ପରିବାର ତରଫରୁ ଲତା ମଙ୍ଗେସକରଙ୍କ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା