ଭୁବନେଶ୍ବର : ଭିସା ଅବଧି 2024ରୁ ସରିଗଲାଣି । କିନ୍ତୁ ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା । ଦେଶବ୍ୟାପୀ ପାକିସ୍ତାନୀ ନାଗରିକଙ୍କୁ ବିଦା କରିବା ଅଭିଯାନରେ ଏହି ପାକିସ୍ତାନୀ ମହିଳାଙ୍କୁ ଧରିଛି ପ୍ରଶାସନ । ଭୁବନେଶ୍ବର ବିଜେବି ନଗରରେ ରହୁଥିବା ଏହି ପାକିସ୍ତାନୀ ମହିଳା ବିବାହ କରି ସ୍ବାମୀଙ୍କ ସହ ରହୁଛନ୍ତି । କିନ୍ତୁ ସେ ଭାରତୀୟ ନାଗରିକତ୍ବ ଗ୍ରହଣ କରିନାହାଁନ୍ତି । ଆସନ୍ତାକାଲି 27 ତାରିଖ ସୁଦ୍ଧା ତାଙ୍କୁ ଦେଶ ଛାଡିବାକୁ କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି, 2024 ରୁ ତାଙ୍କର ଭିସା ଅବଧି ଶେଷ ହୋଇଯାଇଥିବା ବେଳେ ସେ ଏତେଦିନ ଥିଲେ କେମିତି ? କଣ କରୁଥିଲା ପ୍ରଶାସନ ? ଭିସା ଅବଧି ଶେଷ ହେବା ପରେ ବି ଏମିତି ଅନେକ ବିଦେଶୀ ଭାରତରେ ରହିଛନ୍ତି, ଯାହାର ହିସାବ ପ୍ରଶାସନ ପାଖରେ ନାହିଁ । ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ ତ ଘର କରିସାରିଲେଣି । ସବୁଠୁ ଉଦବେଗଜନକ କଥା ହେଉଛି, ସ୍ଥାନୀୟ ନେତାଙ୍କୁ ହାତ କରି ଅନୁପ୍ରବେଶକାରୀ ବାଂଲାଦେଶୀ ବି ସବୁ ସୁବିଧା ସୁଯୋଗ ହାତେଇବାରେ ସକ୍ଷମ ହେଉଛନ୍ତି । ଏବେ ସରକାର ପାକିସ୍ତାନୀଙ୍କୁ ଖୋଜୁଛନ୍ତି । ଦେଶର ସୁରକ୍ଷା ଦୃଷ୍ଟିରୁ ସବୁ ଅନୁପ୍ରବେଶକାରୀ ଏବଂ ଅବୈଧ ଭିସା ଧରି ରହିଥିବା ବିଦେଶୀଙ୍କୁ ଦେଶରୁ ତୁରନ୍ତ ବିଦା କରିବା ଆବଶ୍ୟକ ।