ଘଣ୍ଟା ପ୍ରତି ୩୦ କିଲୋମିଟର ଯାଇପାରୁଛି ସାଇକେଲ । ଆକ୍ସିଲେଟର ମୋଡିଲେ ଚାଲୁଛି ସାଇକେଲ । ଷ୍ଟାର୍ଟ ହେଉଛି ହର୍ନ ବି ବାଜୁଛି । ନା ମାରିବାକୁ ପଡୁଛି ପେଡାଲ ନା ପକାଇବାକୁ ପଡୁଛି ପେଟ୍ରୋଲ । ପେଟ୍ରୋଲ ଦର ବୃଦ୍ଧି ହେଲେ ଚିନ୍ତା ନାହିଁ । ଥରେ ଚାର୍ଜ କଲେ ଏହି ସାଇକେଲଟି ପ୍ରାୟ ୮୦ କିଲୋମିଟର ଯାଏ ଜାଇ ପାରୁଛି । ଏହାସହିତ ରାତିରେ ଚଳାଇବା ପାଇଁ ହେଡଲାଇଟ୍ ଏବଂ ବ୍ୟାକ୍ ଲାଇଟ୍ ସୁବିଧା ବି ରହିଛି । ତେବେ ଏକୌଣସି ଇଂଜିନିୟର ନୁହଁନ୍ତି । ବରଂ ନିଜସ୍ୱ ବୁଦ୍ଧିରେ ନିର୍ମାଣ କରିଛନ୍ତି ବୌଦ୍ଧ ଜିଲ୍ଲା ବାମଣ୍ଡା ଗାଁର ଜଣେ ଚାଷୀ ଦିଲ୍ଲୀପ କୁମାର ମହାପାତ୍ର । କମ ଖର୍ଚ୍ଚରେ କିଭଳି ଜଣେ ବାଇକ ପରି ସୁବିଧା ପାଇପାରିବ । ସେ ନେଇ ଅନେକ ଦିନରୁ ଉଦ୍ୟମ ଚଳାଇଥିଲେ ଦିଲ୍ଲୀପ । ବର୍ତ୍ତମାନ ସୁଦ୍ଧା ତିନୋଟି ସାଇକେଲ ତିଆରି କରି ବିକ୍ରି ବି କରିସାରିଲେଣି ସେ । ପ୍ରାୟ ୧୦ ହଜାର ଟଙ୍କାରେ ଦିଲ୍ଲୀପ ଏି ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିଛନ୍ତି । ତେବେ ଏଥିରେ ଯେ କେବଳ ବାଇକ୍ ଭଳିଆ ସୁବିଧା ରହିଛି ତା ନୁହେଁ ବରଂ ଏହାଦ୍ୱାରା ବାୟୁ ଏବଂ ଶଦ୍ଦ ପ୍ରଦୁଷଣରୁ ବି ମୁକ୍ତି ମିଳୁଛି । ଦିଲ୍ଲୀପଙ୍କ ଏଭଳି ନିଆରା ଉଦ୍ୟମ ପାଇଁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି । ପରିବେଶ ପ୍ରଦୂଷଣକୁ ପ୍ରତିହତ କରିବାକୁ ଦିଲ୍ଲୀପଙ୍କ ଏଭଳି ଉଦ୍ୟମ ପ୍ରଶଂସନୀୟ । ତେବେ ଏନେଇ ସରକାରୀ ସ୍ତରରେ ସହଯୋଗ ମିଳିଲେ ସେ ଆଗକୁ ଯାଇ ପାରିବେ ବୋଲି କହିଛନ୍ତି ।