ମା’ତୁମେ ଜଗତର ସାହା ଭରସା, ଝୁମକା ଟିକେ ତୁ ତ ହଲେଇ ଦେ, ଆସିବ ବର ତୋର-ହୋଇବ ବାହାଘର, ଓ ସତ କହି ପଛେ ପାଏ ଫାଶୀ ଏମିତି ଅନେକ ହିଟ୍ ଗୀତ ଆପଣ ନିଶ୍ଚିତ ଶୁଣିଥିବେ । ଏହିସବୁ ଆପଣ ସବୁଦିନ ଶୁଣିପାରିବେ । କିନ୍ତୁ ଏହି ସବୁ ସଙ୍ଗୀତର  ନିର୍ଦ୍ଦେଶନା ଦେଇଥିବା ତଥା ଲୋକପ୍ରିୟ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ଆମ ଗହଶରେ ନାହାଁନ୍ତି । କଟକ ଏସ୍‌ସିବି ମେଡ଼ିକାଲରେ ତାଙ୍କର ରବିବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଛାତ୍ର ଜୀବନରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ଶ୍ରୀ ରଥ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀ ଗୋପୀନାଥ’ର ‘ତୁମେ ମୋ ରାଧା ତୁମୋ ମୋ ସୀତା’ ଗୀତରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ‘ସଉତୁଣୀ’, ଆରତୀ, ଚିହ୍ନାଅଚିହ୍ନା, କାବେରୀ, ପକା କମ୍ବଳ ପୋତଛତା, ଅନ୍ୟାୟ ସହିବି ନାହିଁ, ଦେଖ ଖବର ରଖ ନଜର ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୦୧୧ରେ ମୁକ୍ତିଲାଭ କରିଥିବା ‘ତୁମେ ହିଁ ସାଥୀ ମୋର’ ଥିଲା ତାଙ୍କର ଶେଷ ଚଳଚ୍ଚିତ୍ର । ଏପର୍ଯ୍ୟନ୍ତ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୮୩ଟି ଗୀତିନାଟ୍ୟ ତଥା ୧୨ ହଜାରରୁ ଅଧିକ ଗ୍ରାମୋଫୋନ ରେକର୍ଡ଼ ସହିତ ବେତାର, ଦୂରଦର୍ଶନ ପାଇଁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ବାସୁଦେବ । ତାଙ୍କ ବିୟୋଗରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here