କରୋନା ନେଲା ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରୀଆଙ୍କ ପରଲୋକ ଘଟିଛି । ତେବେ କରୋନାରେ ଆକ୍ରାନ୍ତ ହୋଇ ସେ ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମାନସ ଗତ ଦୁଇ ଦଶନ୍ଧି ଧରି ବିଭିନ୍ନ ଟିଭି ଚ୍ୟାନେଲ ଓ ସମ୍ବାଦପତ୍ର ସହ ଜଡିତ ଥିଲେ । ଏମବିସି ଟିଭି, ନକ୍ଷତ୍ର ନ୍ୟୁଜ, କନକ ନ୍ୟୁଜ, ନିତିଦିନ, ସମାଜ, ନନ୍ଦିଘୋଷ, ଜି ଓଡିଆ ପ୍ରଭୃତି ଗଣମାଧ୍ୟମରେ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ତେବେ ବୃତ୍ତି ସାମ୍ବାଦିକତାରେ ଥିଲେ ହେଁ ସେ ସଙ୍ଗୀତକୁ ଖୁବ୍ ଭଲ ପାଉଥିଲେ । ବିଭିନ୍ନ ଷ୍ଟେଜ ସୋରେ ହେଉ ଅବା ଅନୁଷ୍ଠାନରେ, ସେ ସଙ୍ଗୀତ ଗାଇ ଲୋକଙ୍କୁ ବିଭୋର କରି ଦେଉଥିଲେ । ଖୁବ ମିଷ୍ଟଭାଷୀ ଓ ମେଳାପି ତଥା ବନ୍ଧୁପ୍ରିୟ ଥିବା ମାନସଙ୍କ ବିୟୋଗରେ ଗଣମାଧ୍ୟମ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ମାନସଙ୍କ ସ୍ମୃତି ଚାରଣ କରୁଛନ୍ତି ସମସ୍ତେ । ମାନସଙ୍କ ବିୟୋଗ ଯୋଗୁ ଓଡିଆ ଗଣମାଧ୍ୟମ ଜଣେ ଦକ୍ଷ, ପ୍ରତିଭାବାନ୍ ସାମ୍ବାଦିକଙ୍କୁ ସବୁଦିନ ପାଇଁ ହରାଇଲା ।