କାହିଁକି ଏମିତି ହେଲା. ଯ଼ାହା କେବେ ଇତିହାସରେ ଘଟି ନଥିଲା, ତାହା ଏବେ ଘଟିଲା. ସମଗ୍ର ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପୁଣିଥରେ ମୋଗଲ ସାମ୍ରାଜ୍ୟ ସମୟର ବର୍ବରତାକୁ ମନେ ପକାଇ ଦେଇଛି. କାହିଁକି ଲୋକେ ତାତିଲେ, ହିଂସାକାଣ୍ଡ କଲେ, ଥାନାରେ ପଶି ଭଙ୍ଗାରୁଜା କଲେ, ଶ୍ରୀମନ୍ଦିର ପ୍ରଶାସନକୁ ଧ୍ବସ୍ତବିଧ୍ବସ୍ତ କଲେ, ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବାସଭବନ, ଜିଲ୍ଲାପାଳଙ୍କ ଘର ଉପରେ ଆକ୍ରମଣକୁ ବି ଛାଡିଲେ ନାହିଁ. ପ୍ରଶାସନିକ ନିୟମ କାନୁନକୁ ତିଳେ ମାତ୍ର ଭୃକ୍ଷେପ କଲେ ନାହିଁ. ଆଇନଗତ କାର୍ୟ୍ୟାନୁଷ୍ଠାନକୁ ବି ଡରିଲେ ନାହିଁ. କୁହାଯାଉଛି, ଶ୍ରୀମନ୍ଦିର ଭିତରକୁ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା ଲାଗୁ ହେବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା. ଆଉ ଧାଡି ଦର୍ଶନର ପ୍ରତିବାଦରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ଅଘଟଣ ଘଟିଲା. ସବୁଠୁ ବଡ କଥା ହେଉଛି, ୬ ଘଣ୍ଟା ଧରି ବଡଦାଣ୍ଡରେ ହିଂସାକାଣ୍ଡ ଚାଲିଥିବା ବେଳେ ପ୍ରଶାସନ ବି ଡରିଯାଇଥିଲା. ଆନ୍ଦୋଳନକାରୀଙ୍କ କ୍ରୋଧ ଆଗରେ ପ୍ରଶାସନ ପୁରା ଡରିଯାଇଥିଲା. ଢେଲା ପଥର ମାଡରେ ସାଧାରଣ ଲୋକେ, ଆନ୍ଦୋଳନକାରୀ ଓ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି. ତେବେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନକୁ ୧୪୪ ଧାରା ଜାରି କରିବାକୁ ହେଲା, ଲାଠିଚାର୍ଜ କରିବାକୁ ହେଲା, ରବର ବୁଲେଟ ମାଡ କରାଗଲା, ଆଉ ଶେଷରେ ଶ୍ରୀମନ୍ଦିର ଭିତରକୁ ପୋଲିସ ବାହିନୀ ଜୋତା ପିନ୍ଧି ବି ପ୍ରବେଶ କଲେ. ଏସବୁ ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି, ଏମିତି କାହିଁକି ହେଲା. ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିବା ବେଳେ ପୋଲିସ ଓ ପ୍ରଶାସନ କାହିଁକି ସଜାଗ ହେଲା ନାହିଁ. କୁହାଯାଉଛି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା. କିନ୍ତୁ କେବଳ ଜଗନ୍ନାଥ ସେନା ସଦସ୍ୟମାନେ ହିଂସାକାଣ୍ଡ କରିଥିଲେ ନା ସେଥିରେ ଆଉ କିଏ ସାମିଲ ହୋଇଥିଲେ. ହିଂସାକାଣ୍ଡର ଦୃଶ୍ୟ କହୁଛି, ସେନା ସଦସ୍ୟଙ୍କୁ ବାଦ ଦେଲେ ହିଂସାକାଣ୍ଡରେ ଆହୁରି ଅନେକ ଲୋକ ସାମିଲ ହୋଇଯାଇଥିଲେ, ଶ୍ରୀମନ୍ଦିରକୁ ନେଇ ସେବାୟତ ଓ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ବିବାଦ ଓ ଦୀର୍ଘଦିନର ଅସନ୍ତୋଷ ବୁଧବାର ଭୟଙ୍କର ରୂପ ନେଇଥିଲା. ଶ୍ରୀମନ୍ଦିର ବ୍ୟବସ୍ଥାରେ ବିଶୃଙ୍ଖଳାକୁ ନେଇ ଲୋକେ ମଧ୍ୟ ଅସନ୍ତୁଷ୍ଟ ଥିଲେ. ତେଣୁ ଜମାଟ ବାନ୍ଧି ରହିଥିବା ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ଧାରଣ କରିଥିଲା. ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଶ୍ରୀମନ୍ଦିରକୁ ନେଇ ସରକାର ଯେତିକି ଗୁରୁତ୍ବ ଦେବା କଥା, ତାହା କରୁନାହାନ୍ତି. କେବଳ ଆଇଏଏସ ପଦାଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ଦାୟିତ୍ବ ଦେଇଦେଲେ କଣ ହେବ, ଲୋକଙ୍କ ଭାବାବେଗକୁ ସରକାର ଧ୍ୟାନ ଦେବା କଥା. ବ୍ରହ୍ମ ବିଭ୍ରାଟ, ରଥଯାତ୍ରା ବେଳେ ବିଭ୍ରାଟ, ବିଭିନ୍ନ ସମୟରେ ସେବାୟତଙ୍କ ବିଶୃଙ୍ଖଳା ଭଳି ସ୍ପର୍ଶକାତର ପ୍ରସଙ୍ଗକୁ ସରକାର କେବଳ ଆଖିଠାର ମାରି ଚାଲିଛନ୍ତି, କିନ୍ତୁ କେତେବେଳେ ବି ସମସ୍ୟାର ସମାଧାନ ପାଇଁ ଚିନ୍ତା କରିନାହାଁନ୍ତି. ଆଜି ପ୍ରଶାସନ ନିଷ୍ପତ୍ତି ନେଲା, ସ୍ଥାନୀୟ ଲୋକେ ଧାଡି ଦର୍ଶନ କରିବେ ନାହିଁ, ସେକଥା ପ୍ରଥମରୁ କାହିଁକି କରାଗଲା ନାହିଁ. ଯଦି ବି ସରକାର ଏ ନିଷ୍ପତ୍ତି ନେଉଛନ୍ତି, ତେବେ ସବୁ ଭକ୍ତଙ୍କ ପାଇଁ ଦି ପ୍ରକାର ନିୟମ କାହିଁକି କରାଯିବ. ସରକାରର ନେତୃତ୍ବ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ବରେ ଥିବା ଆଇନ ମନ୍ତ୍ରୀ କରୁଛନ୍ତି କଣ. କାହିଁକି ସେମାନେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ନେଉଥିବା ପଦକ୍ଷେପର ସମୀକ୍ଷା କଲେ ନାହିଁ. ନିଜ ମୁଣ୍ଡ ଉପରୁ ଦୋଷ ଛଡେଇବା ଭଳି କାର୍ୟ୍ୟ କଲେ ଏଭଳି ପରିସ୍ଥିତି ହିଁ ସୃଷ୍ଟି ହେବା ସାର ହେବ.

LEAVE A REPLY

Please enter your comment!
Please enter your name here