ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ ଆକବରଙ୍କ ନାଁରେ ସିଂହକୁ ନାମିତ କରାଯାଇଥିବା ବେଳେ ସିଂହୀର ନାଁ ହିନ୍ଦୁ ଦେବୀ ସୀତାଙ୍କ ନାଁ ରଖାଯିବାକୁ ବିରୋଧ କରିଥିଲା ବିଶ୍ବ ହିନ୍ଦୁ ପରିଷଦ । ମାମଲା କୋଲକତା ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ସିଂହ ଓ ସିଂହୀଙ୍କ ନାଁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାର ବିଚାର ବେଳେ ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟ ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ନିଜ ଘରେ ରଖିଥିବା ପୋଷା ଜୀବଜନ୍ତୁଙ୍କ ନାଁ କଣ କେହି ଏମିତି ଦେଇପାରେ ? ଧର୍ମନିରପେକ୍ଷ ମୋଗଲ ସମ୍ରାଟ ହୁଅନ୍ତୁ ଅବା ହିନ୍ଦୁ ଦେବାଦେବୀ ଅଥବା ଖ୍ରୀଷ୍ଟିଆନ ଇଶ୍ବର କି ସ୍ବାଧୀନତା ସଂଗ୍ରାମୀଙ୍କ ନାଁ କେହି କଣ ଜୀବଜନ୍ତୁଙ୍କର ରଖିପାରେ ବୋଲି ଜଷ୍ଟିସ ଭଟ୍ଟାଚାର୍ଯ୍ୟ ପ୍ରଶ୍ନ କରିବା ସହ ସିଂହ ଓ ସିଂହୀଙ୍କ ନାଁ ବଦଳାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ ଜେନେରାଲ ସଫେଇରେ କହିଥିଲେ, ତ୍ରିପୁରାରୁ ସିଂହ ଓ ସିଂହୀଙ୍କୁ ଅଣାଯାଇଥିଲା ଏବଂ ତ୍ରିପୁରାରେ ହିଁ ସେମାନଙ୍କ ନାମକରଣ କରାଯାଇଥିଲା । ତେବେ ଏହାକୁ ନେଇ ଅଧିକ ବିବାଦ କରିବା ପରିବର୍ତ୍ତେ ସିଂହ ଓ ସିଂହୀଙ୍କ ନାଁ ବଦଳାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here