କେବେ ଖୋଲିବ ଶ୍ରୀମନ୍ଦିର ? ଭକ୍ତଙ୍କ ଅପେକ୍ଷାରେ କେବେ ଘଟିବ ଅବସାନ ? ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଜି ଦୀର୍ଘ ସମୟ ଧରି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ ସେବାୟତମାନେ ମନ୍ଦିର ଖୋଲିବା ପ୍ରସଙ୍ଗରେ ସେମାନଙ୍କ ମତ ରଖିଥିଲେ I କେହି କେହି ସେବାୟତ ପ୍ରଥମେ ପୁରୀ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମତ ଦେଇଥିବା ବେଳେ ଆଉ କେହି କେହି ଏକାଥରେ ସବୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ମତ ଦେଇଥିଲେ I ତେବେ ଦୀର୍ଘଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ କରିବା ପାଇଁ ଅଧିକାଂଶ ସେବାୟତ ମତ ରଖିଥିଲେ ମଧ୍ୟ କୋଭିଡ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ବ ବୋଲି କହିଥିଲେ I ତେଣୁ ଭକ୍ତମାନେ କିପରି ସାମାଜିକ ଦୂରତ୍ବ ରକ୍ଷା କରି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଏବଂ ଶୃଙ୍ଖଳିତ ଦର୍ଶନ କରି କେଉଁ ଦ୍ବାର ବାଟେ ଫେରିବେ, ସେସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ I ମାତ୍ର ଦୀର୍ଘ ଆଲୋଚନା ସତ୍ତ୍ବେ ଶ୍ରୀମନ୍ଦିର ନିର୍ଦ୍ଧିଷ୍ଟ ଭାବେ କେବେଠାରୁ ଖୋଲିବ, ସେସଂପର୍କରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ I ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ପାଇଁ ମତ ପ୍ରକାଶ ପାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଏସଂପର୍କରେ ସୁପାରିଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି I ପ୍ରଥମେ ପୁରୀ ଲୋକଙ୍କୁ ସୁଯୋଗ ଦିଆଯିବ I ବାହାର ଲୋକ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ଦର୍ଶନ ଅନୁମତି ମିଳିବ I ତେବେ ଏହା କିପରି କାର୍ଯ଼୍ୟକାରୀ କରାଯ଼ିବ, ପ୍ରଶାସନ ନିଷ୍ପତ୍ତି ନେବ I

LEAVE A REPLY

Please enter your comment!
Please enter your name here